ଆତଙ୍କବାଦୀଙ୍କ ୯ଟି ଗୁଳି ଖାଇ ବି ହାର୍‌ ମାନିଲେନି: କର୍ମ କ୍ଷେତ୍ରକୁ ଫେରିଲେ କମାଣ୍ଡାଣ୍ଟ୍‌ ଚେତନ୍‌

ଜମ୍ମୁ-କଶ୍ମୀର: ପ୍ରାୟ ଏକ ବର୍ଷରୁ ଊର୍ଧ୍ୱ ହେବ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୯ଟି ଗୁଳି ଖାଇ ଅସୁସ୍ଥ ହୋଇପଡ଼ିଥିବା ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ୍‌ ଚେତନ୍‌ କୁମାର ଚିତା ନିକଟରେ ସୁସ୍ଥ ହୋଇ ପୁଣି ଥରେ ସିଆର୍‌ପିଏଫ୍‌ରେ ଯୋଗ ଦେବା ଘଟଣା ଏବେ ଚର୍ଚ୍ଚା ପାଲଟିଛି। ସେ ସିଆର୍‌ପିଏଫ୍‌ ନିର୍ଦ୍ଦେଶାଳୟର ସିଜିଓ କମ୍ପ୍ଲେକ୍ସରେ ସାମିଲ୍‌ ହୋଇ ଚାକିରିରେ ଯୋଗଦେବାର ପ୍ରଥମ ଦିନକୁ ଅପେକ୍ଷା କରିଛନ୍ତି।

ଚେତନ ତାଙ୍କର ସାହସିକତା ପାଇଁ ପୂର୍ବରୁ କିର୍ତ୍ତୀ ଚକ୍ର ସମ୍ମାନ ପାଇ ସାରିଛନ୍ତି। ଏବେ ସୂଚନା ମିଳିଛି ଯେ ଚେତନଙ୍କୁ ଏଣିକି ଆଉ ଅପରେସନ୍‌ ପାଇଁ ପଠାଯିବ ନାହିଁ। ତାଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଅଫିସ୍‌ ସଂପର୍କିତ କିଛି କାମ ଦିଆଯିବ। ତାଙ୍କୁ ଚାକିରିରେ ପୁଣି ଯୋଗ ଦେବା ପାଇଁ ବରିଷ୍ଠ କର୍ମଚାରୀମାନଙ୍କ ନିକଟରୁ ବାରମ୍ବାର କଲ୍‌ ଯାଇଥିଲା। ସେ ଆସି ସିଆର୍‌ପିଏଫ୍‌ରେ ସାମିଲ୍‌ ହେବା ବେଳକୁ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବା ଲକ୍ଷ୍ୟ କରି ତାଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ଅପରେସନ କାର୍ଯ୍ୟରେ ପଠାଯିବ ନାହିଁ ବୋଲି ଜଣାପଡ଼ିଛି।

ଏବେ ପୁଣି ଥରେ ଚାକିରିରେ ଯୋଗ ଦେଇଥିବାରୁ ସେ ଖୁବ୍‌ ଖୁସି ଅଛନ୍ତି ବୋଲି ଜଣାଇଛନ୍ତି। ଏପରିକି ଅପରେସନ୍‌ କାର୍ଯ୍ୟରେ ଯୋଗ ଦେବା ପାଇଁ ସେ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚେତନ ଆତଙ୍କବାଦୀ ଆକ୍ରମଣରେ ୯ଟି ଗୁଳି ଖାଇ ଅସୁସ୍ଥ ହୋଇ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ସେଠାରୁ ସୁସ୍ଥ ହୋଇ ଘରାକୁ ଫେରିବା ପରେ ସେ ଏକ ସାକ୍ଷାତକାରରେ କହିଥିଲେ କି ସେ ପୁଣି ଥରେ ସିଆର୍‌ପିଏଫ୍‌ର କୋବ୍ରା ବ୍ୟାଟେଲିୟନରେ ଯୋଗ ଦେଇ ନକ୍ସଲ ଏବଂ ବାମ-ପନ୍ଥୀ ଦଳଙ୍କ ବିରୋଧରେ ଯୁଦ୍ଧ କରିବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର