ମୋବାଇଲ୍ ଲୁଟେରାଙ୍କ ସହ ଲଢ଼ିଲେ ଓଡ଼ିଆ ଝିଅ ପ୍ରିୟଙ୍କା

ନୂଆଦିଲ୍ଲୀ : ଗ୍ରେଟର ନୋଏଡ଼ାରେ ଦିନକୁ ଦିନ ମୋବାଇଲ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଏହାର ସଦ୍ୟତମ ଶିକାର ହେଇଛନ୍ତି ଜଣେ ଓଡ଼ିଆ ଝିଅ ପ୍ରିୟଙ୍କା କରଣ। ଗ୍ରେଟର ନୋଏଡ଼ା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ସେ ଶେଷ ବର୍ଷର ବିଟେକ୍ ଛାତ୍ରୀ। ଗତ ରବିବାର ସନ୍ଧ୍ୟାରେ ବାଇକ୍‌‌େର କିଛି ଲୁଟେରାମାନେ ଗ୍ରେଟର ନୋଏଡ଼ା ସ୍ଥିତ ନଲେଜ୍ ପାର୍କ‌୍ର ଇସାନ ଗୋଲଚକର ନିକଟରେ ପ୍ରିୟଙ୍କାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। କିନ୍ତୁ ଲୁଟେରାଙ୍କ ମୋବାଇଲ ଛଡ଼ାଇବା ଉଦ୍ୟମକୁ ପଣ୍ଡ କରିବା ପାଇଁ ପ୍ରିୟଙ୍କା ଖୁବ୍‌ ସଂଘର୍ଷ କରିଥିଲେ। ବାଇକ୍‌ରେ ବସିଥିବା ଲୁଟେରାଙ୍କୁ ସେ ଧକ୍କା ଦେଇଥିଲେ। ଯାହାଦ୍ବାରା ଦୁଇ ଲୁଟେରା ବାଇକ୍‌ରୁ ତଳକୁ ଖସିଯାଇଥିଲେ। କିନ୍ତୁ ତା’ପରେ ଲୁଟେରାମାନେ ବାଇକ୍‌ରେ ଫେରାର ହୋଇଯିବାର ଉଦ୍ୟମ କରିଥିଲେ। ତାକୁ ମଧ୍ୟ ପ୍ରିୟଙ୍କା ପଣ୍ଡ କରିଥିଲେ। ଏଥିରେ ବ୍ୟତିବ୍ରସ୍ତ ହୋଇ ଦୁଇ ଲୁଟେରା ପ୍ରିୟଙ୍କାକ ବେକ୍ ଓ ହାତକୁ ଆଘାତ ଦେଇଥିଲେ ଏବଂ କିଛି ଦୂର ପର୍ଯ୍ୟନ୍ତ ତାଙ୍କୁ ବୁଲେଟ୍‌ରେ ଘୋସାଡ଼ି ନେଇଯାଇଥିଲେ। ତେବେ ଉପସ୍ଥିତ ଲୋକମାନେ କେବଳ ନିରବଦ୍ରଷ୍ଟା ସାଜିଥିଲେ କେହି ବି ଲୁଟେରାମାନଙ୍କୁ ଅଟକାଇବାପାଇଁ ସାହସ କରିନଥିଲେ। ଫଳରେ ଦୁଇ ଲୁଟେରା ମୋବାଇଲ ନେଇ ସେଠାରୁ ଚମ୍ପଟ ମାରିଥିଲେ।

ଘଟଣା ସମ୍ପର୍କରେ ଅବଗତ କରିବା ପାଇଁ ପ୍ରିୟଙ୍କା ଗ୍ରେଟର ନୋଏଡ଼ାର ନଲେଜ୍ ପାର୍କ ଥାନା ଯାଇଥିଲେ ସୁଦ୍ଧା ତାଙ୍କ ଏତଲା ଗ୍ରହଣ କରିବାରେ ବିଳମ୍ବ କରାଯାଇଥିଲା। ଏହା ପରେ ପ୍ରିୟଙ୍କା ତାଙ୍କ ବାପା ବି. ବି. କରଣଙ୍କୁ ଏ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ବି. ବି. କରଣ ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ସୁବେଦାର। ପ୍ରିୟଙ୍କାଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବାପରେ ନଲେଜ୍ ପାର୍କ ଥାନାକୁ ଯାଇ ଏତଲା ଦିଆଯାଇଥିଲା। ପୁଲିସ ଏତଲା ଗ୍ରହଣ କରି ଲୁଟେରମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି। ତେବେ ଦୁଇ ଲୁଟେରାଙ୍କ ସହ ସାହସିକତା ସହିତ ଓଡ଼ିଆ ଝିଅ ପ୍ରିୟଙ୍କା ମୁକାବିଲା କରିବା ଘଟଣା ବର୍ତ୍ତମାନ ଏନସିଆର୍‌ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

ସମ୍ବନ୍ଧିତ ଖବର