ସାହସୀ ପୁଲିସ୍‌: ନିଆଁ ଭିତରେ ପଶି ଟାଣି ଆଣିଲେ ଏଲ୍‌ପିଜି ସିଲିଣ୍ଡର୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ୍‌ ବିଭାଗର ଜଣେ ସବ୍‌-ଇନ୍‌ସ୍ପେକ୍ଟର ନିଜର ସାହସିକତା ପାଇଁ ଏବେ ଚାରି ଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ମେ ୩ ତାରିଖରେ ଗ୍ରେଟର୍‌ ନୋଇଡ଼ାର ଏକ ଘରେ ଏଲ୍‌ପିଜି ସିଲିଣ୍ଡର୍‌ ଫାଟି ନିଆଁ ଲାଗିଯିବା ପରେ ଅଖିଳେଶ କୁମାର ଦିକ୍ଷିତ ନାମକ ସବ୍‌-ଇନ୍‌ସ୍ପେକ୍ଟର ଘଟଣାସ୍ଥଳରେ ଦେବଦୂତ ସାଜି ପହଞ୍ଚିଥିଲେ।

ଅପରାହ୍ନ ପ୍ରାୟ ୩.୧୫ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ପହଞ୍ଚିଲା ବେଳକୁ ଘର ଚାରି ପଟେ ଲୋକ ଘେରି ରହିଥିଲେ। ଘେରି ରହିଥିବା ଲୋକମାନଙ୍କ ଭିତରେ କେହି ଜଣେ ସୂଚନା ଦେଇଥିଲା ଯେ ନିଆଁ ଲାଗିଥିବା ଘର ଭିତରେ ଆହୁରି ୨ଟି ଏଲ୍‌ପିଜି ରହିଛି।

 

ସେହି ସମୟରେ ସାହସୀ ଅଖିଳେଶ ଘର ଭିତରକୁ ଧାଇଁ ଯାଇଥିଲେ। ଘର ଭିତରକୁ ଯାଇ ନିଆଁ ଭିତରୁ ଏଲ୍‌ପିଜି ଗ୍ୟାସ୍‌କୁ ଟାଣି ବାହାରକୁ ନେଇ ଆସିଥିଲେ। ଅଖିଳେଶଙ୍କର ଏପରି ସାହସ ହେତୁ ତାଙ୍କୁ ଚାରିଆଡ଼େ ବାହା ବାହା ପ୍ରଶଂସା ମିଳୁଛି। ସେ ଏପରି କରିନଥିଲେ ହୁଏତ ନିଆଁ ଆହୁରି ଜୋର୍‌ ବ୍ୟାପି ଯାଇଥାନ୍ତା।

ସମ୍ବନ୍ଧିତ ଖବର