‘ମୁଁ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ..କ୍ଷମା କରନ୍ତୁ, ୟା’ଠାରୁ ଅଧିକ କିଛି ମୁଁ କହିବି ନାହିଁ’: ପାକିସ୍ତାନୀ କବ୍ଜାରେ ଥିବା ଭାରତୀୟ ପାଇଲଟ୍‌ଙ୍କ ନିର୍ଭିକ ଜବାବ

ନୂଆଦିଲ୍ଲୀ: ପାକିସ୍ତାନ ସେନା ବୁଧବାର ସୀମା ପାର୍‌ କରି ଆକ୍ରମଣ ଉଦ୍ୟମ କରିବା ସମୟରେ ଭାରତୀୟ ସେନା ତାଙ୍କର ଦୁଇଟି ଲଢୁଆ ବିମାନ ଏଫ୍‌-୧୬କୁ ଗୁଳି କରି ତଳକୁ ଖସାଇ ଦେଇଥିଲେ। ସେହିପରି ପାକିସ୍ତାନୀ ସେନା ଭାରତୀୟ ଯୁଦ୍ଧ ବିମାନ ମିଗ୍‌-୨୧କୁ ଧ୍ୱଂସ କରିବା ସହ ତାହାର ପାଇଲଟ୍‌କୁ ବନ୍ଦୀ କରି ନେଇ ଯାଇଥିବା ସୂଚନା ରହିଛି। ବାୟୁସେନାର ପାଇଲଟ୍‌ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କ ଆଖିରେ କଳା ପଟି ବାନ୍ଧି ଏକ ଭିଡିଓ ଭାଇରାଲ୍‌ କରିଛି ପାକିସ୍ତାନ। ଜାରି ହୋଇଥିବା ୪୬ ସେକେଣ୍ଡ୍‌ର ଭିଡିଓରେ ତାମିଲ୍‌ନାଡୁର ୩୫ ବର୍ଷିଅ କମାଣ୍ଡର୍‌ ଅଭିନନ୍ଦନ ସଂପୂର୍ଣ୍ଣ ଗାରିମାର ସହ ସେମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛନ୍ତି।

ଭିଡିଓରେ ଅଭିନନ୍ଦନ କହୁଥିବାର ଦେଖିବାକୁ ମିଳିଛନ୍ତି, ‘ମୁଁ ଭାରତୀୟ ବାୟୁ ସେନା କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ। ମୋ ସର୍ଭିସ ନମ୍ବର ୨୭୯୮୧।’ ତା’ପରେ ପାକିସ୍ତାନୀ ସୈନିକ ଅଧିକ ତଥ୍ୟ ମାଗିଥିବାରୁ ନିର୍ଭିକତାର ସହ ବର୍ତମାନ ଉତ୍ତର ଦେଇଛନ୍ତି, ‘କ୍ଷମା କରନ୍ତୁ, ମୁଁ ୟାଠାରୁ ବେଶି କିଛି କହିପାରିବି ନାହିଁ।’ କେବଳ ସେତିକି ନୁହେଁ, ‘ନିର୍ଭିକ ଭାରତୀୟ କମାଣ୍ଡର୍‌ ଏକଥା ବି ପଚାରିଲେ ଯେ କ’ଣ ମୁଁ ପାକିସ୍ତାନୀ ସେନା କବ୍ଜାରେ ଅଛି?’

ଦ୍ୱିତୀୟ ଥର ପାଇଁ ପାକିସ୍ତାନ ପକ୍ଷରୁ ଅଭିନନ୍ଦନଙ୍କର ୧.୧୯ ମିନିଟ୍‌ର ଏକ ଭିଡିଓ ଜାରି କରାଯାଇଛି। ଅଭିନନ୍ଦନ ହାତରେ ଚା’ କପ ଧରିଥିବାର ଦେଖିବାକୁ ମିଳିଛି। ସେ ସମୟରେ ମଧ୍ୟ ପାକିସ୍ତାନ ଅଧିକାରୀ ତାଙ୍କୁ କିଛି ପ୍ରଶ୍ନ ପଚାରିଲା ବେଳେ ଅଭିନନ୍ଦନ ଚୁପ୍‌ ରହିଛନ୍ତି।

ଭାଇରାଲ୍‌ ହୋଇଥିବା ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିନନ୍ଦନ ତଳେ ପଡ଼ି ଯାଇଥିବା ଅଞ୍ଚଳରେ ତାଙ୍କୁ କିଛି ସ୍ଥାନୀୟ ଲୋକ ମାରପିଟ କରୁଛନ୍ତି। ଅବଶ୍ୟ ସେ ଭିଡିଓର ସତ୍ୟତା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ, ଜାଣିବାକୁ ମିଳିଛି ଯେ ୧୯୮୩ ମସିହା ଜୁନ ୨୧ରେ ଜନ୍ମ ହୋଇଥିବା ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ସୋସିଆଲ୍‌ ମିଡିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ପକ୍ଷରୁ ପାକ୍ ବିଦେଶ ମନ୍ତ୍ରାଳୟକୁ ଏ ନେଇ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର