ନୂଆଦିଲ୍ଲୀ: ଶାନ୍ତି ପାଇଁ ସାହସିକତା ଏବଂ ସାହସ ଅପରିହାର୍ଯ୍ୟ ବୋଲି ଲେହ ଠାରେ ଯବାନମାନଙ୍କୁ ଉଦ୍ବୋଧନ ଦେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ସେଠାରେ ପହଞ୍ଚି ମୁତୟନ ଥିବା ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ବହୁ ଗୁରୁତ୍ବ ବହନ କରିଛି।
ସୈନିକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆପଣ ଓ ଆପଣଙ୍କ ସାଥିମାନେ ପ୍ରଦର୍ଶନ କରିଥିବା ସାହସିକତା ବିଶ୍ବକୁ ଭାରତର ସାମର୍ଥ୍ୟର ବାର୍ତ୍ତା ଦେଇଛି। ଆପଣମାନଙ୍କ ସାହସିକତା କାରଣରୁ ହିଁ ଦେଶବାସୀ ଶାନ୍ତିରେ ବିଶ୍ରାମ କରିପାରୁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଯବାନମାନଙ୍କ ସାହସିକତା ଏବଂ ବଳିଦାନ କାରଣରୁ ଆତ୍ମନିର୍ଭର ଭାରତ ପ୍ରତିବଦ୍ଧତା ସୁଦୃଢ଼ ହୋଇଛି। ଭାରତ ମାତାର ଶତ୍ରୁ ଆପଣମାନଙ୍କ କ୍ରୋଧାଗ୍ନି ଦେଖିଛି। ବିଶ୍ବରେ ଭାରତ ସର୍ବଦା ଶାନ୍ତିର ପଥ ଅନୁସରଣ କରିଛି। କିନ୍ତୁ, ଦୁର୍ବଳମାନେ କଦାପି ଶାନ୍ତି ପଥରେ ପାଦ ଦେଇ ପାରନ୍ତି ନାହିଁ। ଶାନ୍ତି ପାଇଁ ସାହସିକତା ଏବଂ ସାହସ ଅତ୍ୟାବଶ୍ୟକ।
/sambad/media/post_attachments/wp-content/uploads/2020/07/modi-1.jpg)
କାହାରି ନାମ ନ ଧରି ପ୍ରଧାମନ୍ତ୍ରୀ କହିଲେ, ସାମ୍ରାଜ୍ୟ ବିସ୍ତାରର ଯୁଗ ବିତିଯାଇଛି, ଏହା ହେଉଛି ବିକାଶର ଯୁଗ। ଇତିହାସ ଦେଖିଛି, ସାମ୍ରାଜ୍ୟବିସ୍ତାରକ ଶକ୍ତିମାନେ ପରାଜିତ ହୋଇଛନ୍ତି କିଂବା ପଛଘୁଞ୍ଚା ଦେଇଛନ୍ତି।
ଆଜି ସକାଳେ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱଣେଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହରେ ପହଞ୍ଚିଥିଲେ। ସେଠାରୁ ସେ ସିଧା ନିମୁ ଯାଇ ୧୪ କର୍ପସ୍ ମୁଖ୍ୟାଳୟରେ ପହଞ୍ଚିଥିଲେ।
ଭାରତର ସୀମାନ୍ତ ସୁରକ୍ଷିତ ରଖିବାକୁ ଲଦାଖରେ ମୁତୟନ ହୋଇଥିବା ଭାରତୀୟ ସେନାର ଯବାନମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଅଭିବାଦନ ଜଣାଇଥିଲେ। ଜୁନ୍ ୧୫ ତାରିଖରେ ଗଲ୍ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା ଯବାନଙ୍କ ପ୍ରତି ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।