କୋଭିଡ୍‌ ମୃତ୍ୟୁରେ ବ୍ରାଜିଲ୍‌ ବିଶ୍ବରେ ତୃତୀୟ, ଇଟାଲିକୁ ଟପିଗଲା

ସଂକ୍ରମଣ ମାମଲା ୬ ଲକ୍ଷ ଟପିଲା

ନୂଆଦିଲ୍ଲୀ: ସର୍ବାଧିକ କୋଭିଡ୍‌ ମୃତ୍ୟୁସଂଖ୍ୟା ଥିବା ରାଷ୍ଟ୍ର ଭାବେ ବ୍ରାଜିଲ୍‌ ଏବେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଇଟାଲିକୁ ଟପିଯାଇଛି ବ୍ରାଜିଲ୍‌। ଇଟାଲିରେ ମୋଟ୍‌ ମୃତ୍ୟୁସଂଖ୍ୟା ୩୩ ହଜାର ୬୮୯ ଥିବାବେଳେ ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୩୪ ହଜାର ଟପିଯାଇଛି। ଆମେରିକା ଏବଂ ବ୍ରିଟେନ୍‌ ପରେ ବ୍ରାଜିଲ୍‌ ଏବେ କରୋନାଭାଇରସ ମୃତ୍ୟୁରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ବ୍ରାଜିଲ୍‌ରେ ସଂକ୍ରମଣ ମାମଲା ୬ ଲକ୍ଷ ଟପିଯାଇଛି। ମୋଟ୍‌ ଆକ୍ରାନ୍ତ ସଂଖ୍ୟା ବ୍ରାଜିଲ୍‌ରେ ୬ ଲକ୍ଷ ୧୫ ହଜାର ୮୭ରେ ପହଞ୍ଚିଛି। ବିଶେଷଜ୍ଞମାନେ କହୁଛନ୍ତି, ବ୍ରାଜିଲ୍‌ରେ ଏବେ ବି ଟେଷ୍ଟିଂ ବହୁତ କମ୍‌ ରହିଛି। ଯଦି ଟେଷ୍ଟିଂ ଅଧିକ ହୁଅନ୍ତା ତେବେ ବାସ୍ତବ ମାମଲାଠାରୁ ବ୍ରାଜିଲ୍‌ରେ ଆହୁରି ଅଧିକ ମାମଲା ଚିହ୍ନଟ କରାଯାଆନ୍ତା। ୨୧୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ବ୍ରାଜିଲ୍‌ରେ ଏବେ ଆମେରିକା ପରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି। ଦକ୍ଷିଣ ଆମେରିକାରେ ବ୍ରାଜିଲ୍‌ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର। ଅନ୍ୟପକ୍ଷେ ମେକ୍ସିକୋରେ ମଧ୍ୟ ପୁଣି ୧ ହଜାରରୁ ଅଧିକ ମାମଲା ଚିହ୍ନଟ କରାଯାଇଛି। ମେକ୍ସିକୋରେ ମୃତ୍ୟୁସଂଖ୍ୟା ପ୍ରାୟ ୧୨ ହଜାର ପହଞ୍ଚିଥିବା ବେଳେ ସଂକ୍ରମଣ ମାମଲା ୧ ଲକ୍ଷ ଟପିଯାଇଛି। ତେବେ ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୬୭ ଲକ୍ଷ ୧୪ ହଜାର ଟପିଥିବାବେଳେ ୩ ଲକ୍ଷ ୯୩ ହଜାର ୪୦୮ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଯାଇଛି।

ଅନ୍ୟପକ୍ଷେ ପାକିସ୍ତାନରେ କରୋନା ସଂକ୍ରମଣ ମାମଲା ୯୦ ହଜାର ଛୁଇଁବାକୁ ଯାଉଛି । ୨୪ ଘଣ୍ଟା ମଧ୍ୟରେ ୪,୮୯୬ ନୂଆ ମାମଲା ସହ ପାକିସ୍ତାନ‌ରେ ମୋଟ୍‌ ସଂକ୍ରମଣ ମାମଲା ୮୯ ହଜାର ୨୪୯ରେ ପହଞ୍ଚିଛି। ଅନ୍ୟପକ୍ଷେ କୋଭିଡ୍‌ ମୃତ୍ୟୁସଂଖ୍ୟା ପାକିସ୍ତାନରେ ୧୮୩୮ରେ ପହଞ୍ଚିଛି। ଲଗାତାର ତୃତୀୟ ଦିନ ଧରି ପାକିସ୍ତାନରେ ସଂକ୍ରମଣ ବଢ଼ିଛି। ଦକ୍ଷିଣ ଆଫ୍ରିକାରେ ମଧ୍ୟ ସଂକ୍ରମଣ ହଠାତ୍‌ ବଢ଼ିଯାଇଛି। ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ମାମଲା ହଠାତ୍‌ ୮୦ ପ୍ରତିଶତ ବଢ଼ି ଯାଇଥିବା କୁହାଯାଉଛି। ଦକ୍ଷିଣ ଆଫ୍ରିକାରେ କାଲି ଗୋଟିଏ ଦିନରେ ୩ ହଜାର ୨୬୭ ମାମଲା ଚିହ୍ନଟ ହୋଇଛି। ମହାମାରୀ ଆରମ୍ଭ ହେବାଠାରୁ ଏହା ସର୍ବାଧିକ ମାମଲା।

ସମ୍ବନ୍ଧିତ ଖବର