ବ୍ରାଜି‌ଲ୍‌ ଏବେ ନୂଆ ହଟ୍‌ସ୍ପଟ୍‌

ସ୍ପେନ୍‌କୁ ଟପିଲା‌ ଫ୍ରାନ୍ସ, ସର୍ବାଧିକ ମୃତ୍ୟୁ ରାଷ୍ଟ୍ର ତାଲିକାରେ ଚତୁର୍ଥ, ଗୋଟିଏ ଦିନରେ ୮୮୧ ମୃତ, ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଷଷ୍ଠ

ନୂଆଦିଲ୍ଲୀ : ବିଶ୍ବରେ ବ୍ରାଜିଲ୍‌ ଏବେ କରୋନା ଭାଇରସ୍‌ ମହାମାରୀର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଦେଶରେ ମଙ୍ଗଳବାର ଗୋଟିଏ ଦିନରେ ୮୮୧ ଜଣଙ୍କ ମୃତ୍ୟୁ ହୋଇଛି ଓ ମୋଟ୍‌ ମୃତ୍ୟୁସଂଖ୍ୟା ୧୨ ହଜାର ୪୦୦ରେ ପହଞ୍ଚିଛି। ଗତ ୨ ସପ୍ତାହ ମଧ୍ୟରେ ବ୍ରାଜିଲ୍‌‌ରେ ସଂକ୍ରମଣ ଦ୍ବିଗୁଣ ହୋଇଛି। ମୋଟ୍‌ ଆକ୍ରାନ୍ତ ସଂଖ୍ୟା ବ୍ରାଜିଲ୍‌ରେ ୧ ଲକ୍ଷ ୭୭ ହଜାର ୫୮୯ରେ ପହଞ୍ଚିଛି। ଫଳରେ ବ୍ରାଜିଲ୍‌ ଜର୍ମାନୀକୁ ଟପିଯାଇଛି। ଜର୍ମାନୀରେ ମୋଟ୍‌ ସଂକ୍ରମଣ ମାମଲା ୧ଲକ୍ଷ ୭୦ ହଜାର ୫୦୮କୁ ରହିଛି। ସର୍ବାଧିକ ସଂକ୍ରମଣ ମାମଲା ଥିବା ରାଷ୍ଟ୍ର ଭାବେ ବ୍ରାଜିଲ୍‌ ଏବେ ଷଷ୍ଠ ସ୍ଥାନରେ ରହିଛି। ତେବେ ଗତ କିଛି ସପ୍ତାହ ମଧ୍ୟରେ ବ୍ରାଜିଲ୍‌ରେ ସଂକ୍ରମଣ ମାତ୍ରାଧିକ ବଢ଼ିବା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି। ବ୍ରାଜିଲ୍‌ ପରି ଫ୍ରାନ୍ସରେ ବି ଉଭୟ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବହୁମାତ୍ରାରେ ବଢ଼ୁଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୨୬ ହଜାର ୯୯୧‌ରେ ପହଞ୍ଚିଛି ଏବଂ ଫ୍ରାନ୍ସ ସ୍ପେନ୍‌କୁ ଟପିଯାଇଛି । ସର୍ବାଧିକ ମୃତ୍ୟୁ ମାମଲା ଥିବା ରାଷ୍ଟ୍ର ଭାବେ ଫ୍ରାନ୍ସ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି।

କରୋନା ଯୋଗୁଁ ଆମେରିକାରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଆମେରିକା ପଛକୁ ବ୍ରିଟେନ୍‌ ଏବଂ ଇଟାଲିରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୧୪ ଲକ୍ଷ ଟପିଥିବାବେଳେ ୮୩ ହଜାର୪୨୫ ଜଣଙ୍କ ମୃତ୍ୟୁ ‌ହୋଇଛି ଏବଂ ସ୍ପେନ୍‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୬୯ ହଜାର ୫୨୦ ଥିବାବେଳେ ୨୬ ହଜାର ୯୨୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ରୁଷ୍‌‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୪୨ ହଜାର ୨୭୧ ପହଞ୍ଚିଛି ଏବଂ ୨,୨୧୨ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍‌ରେ ଲଗାତାର ୧୧ ଦିନ ଧରି ୧୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ‌ହୋଇଛି। ବ୍ରିଟେନ୍‌ରେ ଆକ୍ରାନ୍ତ ସଂଖ୍ୟା‌ ୨ ଲକ୍ଷ ୨୬ ହଜାର ୪୬୩ ଥିବାବେଳେ ମୃତ୍ୟୁସଂଖ୍ୟା ୩୮ ହଜାର ଟପିଛି। ସେହିପରି ଇଟାଲିରେ ମୃତ୍ୟୁ ସଂଖ୍ୟା ୩୦ ହଜାର ୯୧୧ରେ ପହଞ୍ଚିଛି। ତେବେ ବିଶ୍ବବ୍ୟାପୀ ମୋଟ୍‌ ଆକ୍ରାନ୍ତ ସଂଖ୍ୟ‌ା ଏବେ ୪୩ ଲକ୍ଷ ୬୧ ହଜାର ୭୬୪ ଥିବାବେଳେ ୨ଲକ୍ଷ ୯୩ ହଜାର ୨୮୯ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର