ନୂଆଦିଲ୍ଲୀ: ଗତ ଶୁକ୍ରବାର ବ୍ରାଜିଲରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବ୍ରାଜିଲର ସାଓ ପାଉଲୋ ନିକଟରେ ୬୨ଜଣଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି। ବ୍ରାଜିଲର ଆଞ୍ଚଳିକ ବିମାନ ସେବା ବୋଏପାସ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ବିମାନଟି ସାଓ ପାଉଲୋ ରାଜ୍ୟର ବିନ୍ହେଡୋରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଆବାସିକ ଅଞ୍ଚଳରେ ଖସିପଡିଥିବା ଜଣାଯାଇଛି ।
କଥାରେ ଅଛି 'ଯାହାକୁ ରଖିବେ ଅନନ୍ତ, କି କରି ପରେ ବଳବନ୍ତ' ଅର୍ଥାତ୍ ଯାହାର ମୃତ୍ୟୁ ସମୟ ଆସି ନାହିଁ ସେ ମରିପାରିବ ନାହିଁ ଏବଂ ଭଗବାନ ତାଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ରକ୍ଷା କରିବେ । ଏହି ଦୁର୍ଘଟଣାଗ୍ରସ୍ତ ବିମାନର ଜଣେ ଯାତ୍ରୀଙ୍କ ସହ ସମାନ ଘଟଣା ଘଟିଛି, ଯିଏ ଟିକେଟ୍ କରି ମଧ୍ୟ ବିମାନରେ ଚଢି ପାରିନଥିଲେ | ଯୁବକଙ୍କ ନାମ ଆଡ୍ରିଆନୋ ଆସିସ୍ ହୋଇଥିବା ବେଳେ ଟିକେଟ୍ କରିବା ସତ୍ତ୍ୱେ କାହିଁକି ବିମାନରେ ଚଢ଼ିପାରିନଥିଲେ ତାହା ଜଣାଇଛନ୍ତି |
ତାଙ୍କ କହିବା ମୁତାବକ, 'ମୁଁ ଟିକେଟ କରିଥିଲି | ହେଲେ ବିମାନରେ ଚଢିବା ପାଇଁ ବିଳମ୍ବ ହେବାରୁ ମୋତେ ଚଢ଼ିବାକୁ ଦେଇନଥିଲେ କ୍ରୁ ସଦସ୍ୟ | ଅନେକ ଝଗଡା ପରେ ମୋତେ ନିରାଶ ହୋଇ ଫେରିବାକୁ ପଡିଥିଲା | ହେଲେ କିଛି ସମୟ ପରେ ବିମାନର ଦୁର୍ଘଟଣା ହୋଇଥିବା ଜାଣି ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଲି | ଯଦି ମୋତେ ରୋକାଯାଇନଥାନ୍ତା ତେବେ ଆଜି ମୁଁ ମୃତକଙ୍କ ମଧ୍ୟରେ ଥାନ୍ତି |'