କୋଭିଡ୍‌-୧୯ କଟକଣା ଉଲ୍ଲଂଘନ କରିଥିବାରୁ ଜରିମାନା ଦେବେ ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲ୍‌ସୋନାରୋ

ବ୍ରୁଜିଲିଆ: କୋଭିଡ୍‌-୧୯ ମହାମାରୀ ଦମନ କରିବା ଲାଗି ବ୍ରାଜିଲ୍‌ ଉଦ୍ୟମ ଚଳାଇଥିବା ବେଳେ ସର୍ବସାଧାରଣ କାର୍ଯ୍ୟକ୍ରମରେ ପ୍ରାଦେଶିକ ସ୍ବାସ୍ଥ୍ୟ ସୁରକ୍ଷା ନିୟମ ବଜାୟ ରଖିବାରେ ବିଫଳ ହୋଇଥିବାରୁ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ଅବଶ୍ୟ  ଜରିମାନା ଦେବେ ବୋଲି ମାରାନାଓର ରାଜ୍ୟପାଳ କହିଛନ୍ତି।

ଶୁକ୍ରବାର ରାତିରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମାରାନାଓର ବାମପନ୍ଥୀ ରାଜ୍ୟପାଳ ଫ୍ଲାବୋ ଡିନୋ ଟୁଇଟ୍‌ କରି ଲେଖିଛନ୍ତି, ସ୍ବାସ୍ଥ୍ୟଗତ ସୁରକ୍ଷା ବିନା ମାରାନାଓରେ ଜନସମାଗମ କରାଇଥିବାରୁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ବୋଲ୍‌ସୋନାରୋଙ୍କ ନାମରେ ମାମଲା ଦାଏର କରିଛନ୍ତି। ଆଇନ ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ।

ସର୍ବସାଧାରଣଙ୍କୁ ସ୍ମରଣ କରାଇବାକୁ ଯାଇ ଡିନୋ କହିଛନ୍ତି, ପ୍ରଦେଶରେ ୧୦୦ରୁ ଅଧିକ ଜନତାଙ୍କ ସମାଗମ ନିଷେଧ କରାଯିବା ସହ ଫେସ୍‌ମାସ୍କ୍‌ ପିନ୍ଧା ବାଧ୍ୟତାମୂଳକ କରାଯାଇଛି।

Image Courtesy of The Straits Times

ଏହି ମାମଲା ବିପକ୍ଷରେ ଆବେଦନ କରିବା ଲାଗି ବୋଲ୍‌ସୋନାରୋଙ୍କ କର୍ଯ୍ୟାଳୟକୁ ୧୫ ଦିନ ସମୟ ଦିଆଯାଇଛି। ଏହା ପରେ ଜରିମାନାର ଅର୍ଥରାଶି ଘୋଷଣା କରାଯିବ। ଏ ସଂକ୍ରାନ୍ତରେ କିନ୍ତୁ, ବୋଲ୍‌ସୋନୋରୋଙ୍କ କର୍ଯ୍ୟାଳୟ ଗଣମାଧ୍ୟମକୁ କ‌ୌଣସି ମନ୍ତବ୍ୟ ଦେଇନାହିଁ।

ଶୁକ୍ରବାର ଦିନ ମାରାନାଓ ରାଜ୍ୟର ରାଜଧାନୀ ସାଓ ଲୁଇସ୍‌ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂର ଆକାଇଲାଣ୍ଡିଆରେ ବୋଲ୍‌ସୋନାରୋ ମଫସଲ ଜମି ପଟ୍ଟା ପ୍ରଦାନ କରୁଥିଲେ। ଏହି କାର୍ଯ୍ୟକ୍ରମରେ ମାସ୍କ୍ ପିନ୍ଧି ନ ଥିବା ବୋଲ୍‌ସୋନାରୋ ରାଜ୍ୟପାଳ ଡିନୋଙ୍କୁ ‘ମୋଟୁ ଏକଚ୍ଛତ୍ରବାଦୀ’ କହି ସମାଲୋଚନା କରିଥିଲେ। ଉଗ୍ର ଦକ୍ଷିଣପନ୍ଥୀ ବ୍ରାଜିଲୀୟ ରାଷ୍ଟ୍ରପତି ବୋଲ୍‌ସୋନାରୋ କୋଭିଡ୍‌ କଟକଣା ନିମୟକୁ ବିରୋଧ କରିବା ସହ ଆଞ୍ଚଳିକ ସ୍ବାସ୍ଥ୍ୟଗତ କଟକଣା ଜାରି କରୁଥିବା ରାଜ୍ୟପାଳମାନଙ୍କୁ ‘ଏକଚ୍ଛତ୍ରବାଦୀ’ କହି ସମାଲୋଚନା କରୁଛନ୍ତି।

ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ପରେ ସମ୍ପ୍ରତି କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ହିସାବରେ ବ୍ରାଜିଲ୍ ବିଶ୍ବର ଦ୍ବିତୀୟ ସ୍ଥାନରେ ରହିଛି। ଗୁରୁବାର ଦିନ ବ୍ରାଜିଲ୍‌ର ଦରିଦ୍ରତମ ପ୍ରଦେଶମାନଙ୍କ ମଧ୍ୟରୁ ଅନ୍ୟତମ ମାରାନାଓରେ ପ୍ରଥମ କରି ଭାରତୀୟ କୋଭିଡ୍‌-୧୯ ‘ଭେରିଆଣ୍ଟ୍‌’ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା

ସମ୍ବନ୍ଧିତ ଖବର