ସମୟୋଚିତ ସାହାଯ୍ୟ ନିମନ୍ତେ ଭାରତକୁ ଧନ୍ୟବାଦ ଦେଲେ ବ୍ରାଜିଲର ରାଷ୍ଟ୍ରପତି

ହନୁମାନ ଓ ବିଶଲ୍ୟକରଣୀ ସହ ତୁଳନା କରିଲେ

ନୂଆଦିଲ୍ଲୀ: ସମ୍ପ୍ରତି କରୋନାଭାଇରସଜନିତ ରୋଗ କୋଭିଡ୍-୧୯ ପାଇଁ ବହୁଳ ବ୍ୟବହୃତ “ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ତିଆରି ନିମନ୍ତେ ଆବଶ୍ୟକ ସାମଗ୍ରୀ ରପ୍ତାନି କରିବାକୁ ଭାରତ ସମ୍ମତି ପ୍ରଦାନ କରି ସମୟୋଚିତ ସାହାଯ୍ୟ କରିଥିବାରୁ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲସୋନେରୋ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ବୁଧବାର ଦିନ ନିଜ ଦେଶବାସୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ମୋର ପ୍ରତ୍ୟେକ୍ଷ କଥାବାର୍ତ୍ତାର ଫଳସ୍ୱରୂପ ଶନିବାର ସୁଦ୍ଧା ଆମେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉତ୍ପାଦନ ଚାଲୁ ରଖିବା ନିମନ୍ତେ କଞ୍ଚାମାଲ ପାଇବୁ । ଫଳରେ ଆମେ କୋଭିଡ୍-୧୯ ରୋଗୀ ତଥା ମେଲେରିଆ, ଲୁପୁସ୍ ଏବଂ ଗଣ୍ଠିବାତ ଆଦି ଚିକିତ୍ସା କରି ପାରିବା ।

Image Courtesy of Reuters

ବ୍ରାଜିଲବାସୀଙ୍କୁ ସମୟୋଚିତ ସାହାଯ୍ୟ ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । କରୋନାଭାଇରସ୍ ସଂକଟ ସମୟରେ ଏହା ଥିଲା ବ୍ରାଜିଲବାସୀଙ୍କ ପ୍ରତି ତାଙ୍କର ପଞ୍ଚମ ଅଭିଭାଷଣ ।

ଏହି ଔଷଧ ରପ୍ତାନି ନିମନ୍ତେ କଟକଣା କୋହଳ କରିଥିବାରୁ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ ଲେଖିଥିବା ଏକ ପତ୍ରରେ ଭାରତର ପଦକ୍ଷେପକୁ ରାମାୟଣ କାବ୍ୟର ହନୁମାନ ଓ ବିଶଲ୍ୟକରଣୀ ସହ ତୁଳନା କରିଥିଲେ ।

ପତ୍ରରେ ବୋଲସୋନାରୋ ଲେଖିଥିଲେ: ପ୍ରଭୁ ରାମଙ୍କର ଭାଇ ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରିବାକୁ ହନୁମାନ ହିମାଳୟରୁ ପାବନ ଔଷଧ ଆଣିବା ପରି, ଅସୁସ୍ଥମାନଙ୍କୁ ଯୀଶୁ ଆରୋଗ୍ୟ କଲା ପରି ଏବଂ ବାର୍ଟିମେଉଙ୍କ ଦୃଷ୍ଟିଶକ୍ତି ଫେରାଇବା ପରି ଭାରତ ଓ ବ୍ରାଜିଲ୍ ଏହି ମହାସଙ୍କଟ ଅତିକ୍ରାନ୍ତ କରିବେ ।

ସମ୍ବନ୍ଧିତ ଖବର