କୋଭାକ୍ସିନ ଟିକା ଡିଲ ନେଇ ଅଡୁଆରେ ବ୍ରାଜିଲ ରାଷ୍ଟ୍ରପତି: ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ବ୍ରାଜିଲ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଭାରତୀୟ ଟିକା ନିର୍ମାତା କମ୍ପାନି ଭାରତ ବାୟୋଟେକର କୋଭିଡ-୧୯ ଟିକା କୋଭାକ୍ସିନ ପାଇଁ ବ୍ରାଜିଲ ରାଷ୍ଟ୍ରପତି ଡିଲ କରିଥିଲେ । ହେଲେ ଏହି ଡିଲରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏବେ ରାଷ୍ଟ୍ରପତି ଜେର ବୋଲସୋନାରୋଙ୍କ ବିରୋଧରେ ଯାଞ୍ଚ ହେବ । ଏନେଇ ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ରୋସା ୱେବର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଟିକା କ୍ରୟ ପ୍ରକ୍ରିୟାରେ କର୍ତ୍ତବ୍ୟର ଅବହେଳା ପାଇଁ ସୁପ୍ରିମକୋର୍ଟର ଶୀର୍ଷ ପ୍ରସିକ୍ୟୁଟର ଅଫିସ୍ ଏହି ମାମଲାର ଯାଞ୍ଚ କରିବ ।
ବ୍ରାଜିଲର ରାଷ୍ଟ୍ରପତି ବୋଲସୋନାରୋକଙ୍କ କରୋନା ଭାଇରସ ଟିକା କ୍ରୟ ସହ ଜଡିତ ଏକ ଚୁକ୍ତିନାମାରେ ସମ୍ଭାବ୍ୟ ଦୁର୍ନୀତିର ରିପୋର୍ଟକୁ ଆଖିବୁଜି ଗ୍ରହଣ କରିନେବା ତାଙ୍କ ଶାସନ ପାଇଁ ବିପଦ ସୃଷ୍ଟି କରିଛି । ତେବେ ଅନିୟମିତତା ଅଭିଯୋଗ ଆସିବା ପରେ ସରକାର ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ରାଜିଲ୍ରେ ଏହି ଟିକାକୁ ସ୍ବିକୃତୀ ମିଳିନଥିବା ବେଳେ ସରକାର ଉଚ୍ଚ ମୂଲ୍ୟରେ ପ୍ରାୟ ୨ କୋଟି ଡୋଜ୍ କୋଭାକ୍ସିନ୍ କିଣିବାକୁ ଭାରତ ବାୟୋଟେକ୍ ସହ ଚୁକ୍ତି କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ବ୍ରାଜିଲ୍ ସ୍ବାସ୍ଥ୍ୟମନ୍ତ୍ରୀ ଲୁଇସ୍ ରିକାର୍ଡୋ ମିରାଣ୍ଡା ଏହି ଚୁକ୍ତି ବାତିଲ କରିବାପାଇଁ ଘୋଷଣା କରିଥିଲେ। ସେ କହିଥିଲେ ଫାଇଜର୍ ଟିକା କମ୍ ମୂଲ୍ୟରେ ମିଳିଥିବା ବେଳେ ସରକାର ଅଧିକ ମୂଲ୍ୟ ଦେଇ କୋଭାକ୍ସିନ୍ ଡୋଜ୍ କିଣିବାକୁ ଚୁକ୍ତି କରିଥିଲେ | ତେବେ ବଲ୍ସୋନାରୋ କହିଛନ୍ତି, କୌଣସି ଟଙ୍କା ଦିଆଯାଇନଥିବାରୁ ଏବଂ ଟିକା ଗ୍ରହଣ ହୋଇନଥିବାରୁ ଏଥିରେ କୌଣସି ଦୁର୍ନୀତି କିମ୍ବା ହେରଫେର ହୋଇନାହିଁ। ତେବେ ଚୁକ୍ତିକୁ ନେଇ ଅଭିଯୋଗ ହେବାପରେ ଗତ ଏପ୍ରିଲ୍ରୁ ଏନେଇ ତଦନ୍ତ ଚାଲିଛି।