ଭାରତକୁ ଟପି ବିଶ୍ୱର ଦ୍ୱିତୀୟ ବହୁଳ କୋଭିଡ୍‌-୧୯ ପୀଡ଼ିତ ଦେଶ ହେଲା ବ୍ରାଜିଲ୍‌

ନୂଆଦିଲ୍ଲୀ: ସମ୍ପ୍ରତି ଭାରତକୁ ଟପି ବ୍ରାଜିଲ୍‌ ବିଶ୍ୱର ଦ୍ୱିତୀୟ ବହୁଳ କୋଭିଡ୍‌-୧୯ ପୀଡ଼ିତ ଦେଶରେ ପରିଗଣିତ ହୋଇଛି।

ରବିବାର ଦିନ ଲାଟିନ୍‌ ଆମେରିକୀୟ ଦେଶ ବ୍ରାଜିଲ୍‌ କରୋନାଭାଇରସ୍‌ଜନିତ ୪୩,୮୧୨ ନୂତନ ସଂକ୍ରମଣ ମାମଲା ଓ ୧,୧୨୭ ମୃତ୍ୟୁ ରେକର୍ଡ କରିଛି। ଗତ ଏକ ବର୍ଷ ମଧ୍ୟରେ କୌଣସି ସପ୍ତାହରେ ବ୍ରାଜିଲ୍‌ରେ ଏତେ ସଂଖ୍ୟକ ମୃତ୍ୟୁ ଘଟି ନ ଥିଲା।

କରୋନାଭାଇରସ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବ୍ରାଜିଲ୍‌ରେ ଗତକାଲି ସୁଦ୍ଧା ସମୁଦାୟ ୨,୭୮,୨୨୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ସେ ଦେଶରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୧୪,୮୩,୩୭୦ରେ ପହଞ୍ଚିଛି। ଅପରପକ୍ଷେ, ଗତକାଲି ଭାରତରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧,୧୩,୫୯,୦୪୮। ଅର୍ଥାତ୍‌ ହଠାତ୍‌ ମହାମାରୀ ସଂକ୍ରମଣ ହାର ହ୍ରାସ ପାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ପଛକୁ ରହିଛି ବ୍ରାଜିଲ୍‌। ‘ଓ୍ଵାର୍ଲଡୋମିଟର୍‌’ ରେକର୍ଡ ଅନୁସାରେ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩୦,୦୮୧,୬୫୭।

Image Courtesy of Hindustan Times

ପ୍ରାୟ ୨୧୨ ନିୟୁତ ଜନସଂଖ୍ୟାବିଶିଷ୍ଟ ବ୍ରାଜିଲ୍‌ରେ ବର୍ଷେ ହେବ କୋଭିଡ୍‌ ସଂକ୍ରମଣ ଅତି ଉତ୍କଟ ସ୍ତରରେ ରହିଛି। ଏବେ ବ୍ରାଜିଲ୍‌ରେ ପୂର୍ବାପେକ୍ଷା ଅଧିକ କୋଭିଡ୍‌-୧୯ଜନିତ ମୃତ୍ୟୁ ଘଟୁଛି। ନୂଆ ତଥା ସକ୍ରିୟ ଆକ୍ରାନ୍ତମାନେ ଭର୍ତ୍ତି ହେଉଥିବାରୁ ଡାକ୍ତରଖାନାରେ ସ୍ଥାନାଭାବ ଦେଖା ଦେଇଛି।
ବ୍ରାଜିଲ୍‌ରେ କୋଭିଡ୍‌-୧୯ ମହାମାରୀ ଚିନ୍ତାର କାରଣ। ଏଥିପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଛି।

ବ୍ରାଜିଲ୍‌ରେ କୋଭିଡ୍‌-୧୯ ନିରୋଧୀ ଟିକାକରଣ ଚାଲିଥିଲେ ମଧ୍ୟ ତାହାର ଫଳପ୍ରଦତା ଉପରେ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ସନ୍ଦେହ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର