ବ୍ରାଜିଲ କିଣିବ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ୨ କୋଟି ଡୋଜ

ନୂଆଦିଲ୍ଲୀ: ବ୍ରାଜିଲ ଭାରତୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ୍‌-୧୯ ଟିକା କୋଭାକ୍ସିନ୍‌ର ୨ କୋଟି ଡୋଜ୍‌ କିଣିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଏହି କ୍ରୟର ମୂଲ୍ୟ ୧.୬ ବିଲିୟନ ରିଏସ୍‌ (ଭାରତୀୟ ମୁଦ୍ରାରେ ୨,୧୧୫.୪ କୋଟି) ଅଟେ ଏବଂ ମାର୍ଚ୍ଚରେ ପ୍ରଥମ ୮୦ ଲକ୍ଷ ଡୋଜ ବିତରଣ କରାଯିବ ବୋଲି ଆଶା କରାଯାଉଛି।

ଏକ କୋଟିରୁ ଅଧିକ ମାମଲା ସହିତ ବ୍ରାଜିଲ ଏବେ ବିଶ୍ୱର ତୃତୀୟ ଖରାପ କରୋନାଭାଇରସ୍‌ ପ୍ରଭାବିତ ଦେଶ ଅଟେ। ଟିକା କ୍ରୟକୁ ତ୍ୱରାନ୍ଵିତ କରି କରୋନାଭାଇରସ୍‌ ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦକ୍ଷେପ ନିଆଯାଉଥିବା ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ବ୍ରାଜିଲରେ ଗୁରୁବାର ଦିନ ୧,୫୪୧ ଜଣଙ୍କର ନୂତନ କୋଭିଡ୍‌-୧୯ରେ ମୃତ୍ୟୁ ଘଟିଛି। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବ୍ରାଜିଲରେ ଏ ଯାବତ୍‌ ୨୫୧,୪୯୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି ଯାହାକି ସମଗ୍ର ବିଶ୍ୱରେ ଦ୍ୱିତୀୟ ସର୍ବାଧିକ।

ସମ୍ବନ୍ଧିତ ଖବର