ବ୍ରାସିଲିଆ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କର ପ୍ରାୟ ୩୦୦୦ ସମର୍ଥକ ରବିବାର ବ୍ରାଜିଲର ରାଷ୍ଟ୍ରପତି ଭବନ, ସଂସଦ ଭବନ (କଂଗ୍ରେସ) ଓ ସୁପ୍ରିମ୍‌କୋର୍ଟରେ ଭଙ୍ଗାରୁଜା କରିଛନ୍ତି। ଲୁଲା ନାମରେ ପରିଚିତ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲ୍‌ଭା ଗତ ବର୍ଷ ଅକ୍ଟୋବର ମାସରେ ହୋଇଥିବା ନିର୍ବାଚନରେ ଅତି ଅଳ୍ପ ବ୍ୟବଧାନରେ ବୋଲସୋନାରୋଙ୍କୁ ପରାଜିତ କରିଥିଲେ। ଏହାକୁ ବୋଲସୋନାରୋ ଓ ତାଙ୍କ ସମର୍ଥକମାନେ ଗ୍ରହଣ କରିପାରି ନ ଥିଲେ। ସେମାନେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ପୁଲିସ ସମ୍ଭାଳି ନ ପାରିବାରୁ ଲୁଲା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସେନାକୁ ଶୃଙ୍ଖଳା ରକ୍ଷା କରିବା ପାଇଁ ଆଦେଶ ଦେଇଥିଲେ। ତା’ ସତ୍ତ୍ବେ ହଜାର ହଜାର ପ୍ରତିବାଦକାରୀ ହଳଦିଆ-ସବୁଜ ପୋଷାକ ପିନ୍ଧି ରାଜଧାନୀକୁ ମାଡ଼ିଆସିଥିଲେ ଓ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ସେମାନେ ସମସ୍ତେ ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ। ବୋଲସୋନାରୋଙ୍କ ବିରୋଧରେ ଏବେ ଆଇନଗତ ମାମଲା ଚାଲିଥିବା ବେଳେ ଏହି ଦଙ୍ଗା ତାଙ୍କ ବିରୋଧରେ ଆଇନଗତ ଦୃଷ୍ଟିରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ବୋଲସୋନାରୋଙ୍କ ସମର୍ଥକମାନେ ରାଷ୍ଟ୍ରପତି ଭବନ ଓ ସଂସଦ ଭବନ ସହ ସୁପ୍ରିମ୍‌କୋର୍ଟ ଉପରେ ମଧ୍ୟ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି।

Advertisment

publive-image

ବୋଲସୋନାରୋଙ୍କ ସମର୍ଥକମାନେ ରାଜଧାନୀକୁ ଏକ ଅସୁରକ୍ଷିତ ସ୍ଥାନରେ ପରିଣତ କରିଛନ୍ତି ବୋଲି ଲୁଲା ଅଭିଯୋଗ କରିଛନ୍ତି। ଲୁଲା କହିଛନ୍ତି ଫାସିବାଦୀ, ନାଜିବାଦୀ ଓ ଷ୍ଟାଲିନବାଦୀ ବୋଲସୋନାରୋ ଯାହା କରିଛନ୍ତି ସେପରି ଘଟଣା ବ୍ରାଜିଲ ଇତିହାସରେ କେବେ ଘଟି ନ ଥିଲା। ଯେଉଁମାନେ ଦଙ୍ଗା ଘଟାଇଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଖୋଜି ଖୋଜି ବାହାର କରାଯିବ ଏବଂ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରେ ଦେଖାଯାଇଥିଲା ଜଣକ ପରେ ଜଣେ ଦଙ୍ଗାକାରୀ ଗିରଫ ହୋଇ କଂଗ୍ରେସ ଭବନରୁ ଧାଡ଼ିବାନ୍ଧି ବାହାରୁଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ପୋପ୍‌ଙ୍କ ସମେତ ଜାତିସଂଘ ମୁଖ୍ୟ ବ୍ରାଜିଲ ଦଙ୍ଗାକୁ କଡ଼ା ନିନ୍ଦା କରିଛନ୍ତି। ବିଶ୍ବର ଏହି ନେତାମାନେ ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି। ବ୍ରାଜିଲରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ପାଇଁ ସେ ଅନୁରୋଧ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଆକ୍ରମଣକୁ ନିନ୍ଦା କରିବା ସହ ଜନମତକୁ ଓ ଦେଶର ସରକାରୀ ଅନୁଷ୍ଠାନଗୁଡ଼ିକୁ ସମ୍ମାନ ଦେବା ପାଇଁ କହିଛନ୍ତି। ଜୋ ବାଇଡେନ ନିର୍ବାଚନରେ ଜିତିବା ପରେ ଆମେରିକା ସଂସଦ ଭବନ ଉପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସମର୍ଥକମାନେ କରିଥିବା ଆକ୍ରମଣ ସହିତ ଏହି ଦଙ୍ଗାକୁ ତୁଳନା କରାଯାଉଛି। ତେବେ ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋ କହିଛନ୍ତି ଯେ ଦଙ୍ଗା ପଛରେ ତାଙ୍କର କୌଣସି ହାତ ନାହିଁ। ସେ ଦଙ୍ଗାକାରୀଙ୍କୁ ଉସ୍‌କାଇନାହାନ୍ତି ଏବଂ ଏହି ଦଙ୍ଗାକୁ ସେ ମଧ୍ୟ ନିନ୍ଦା କରୁଛନ୍ତି।

ମୋଦୀଙ୍କ ଉଦ୍‌ବେଗ, ଲୁଲାଙ୍କୁ ସମର୍ଥନ
ନୂଆଦିଲ୍ଲୀ: ବ୍ରାଜିଲର ରାଷ୍ଟ୍ରପତି ଭବନ, ସଂସଦ ଭବନ ଓ ସୁପ୍ରିମ୍‌କୋର୍ଟ ଉପରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକଙ୍କ ଆକ୍ରମଣ ଓ ଦଙ୍ଗାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବ୍ରାଜିଲର ନିର୍ବାଚିତ ସରକାର ଓ ସରକାରୀ କର୍ତ୍ତୃପକ୍ଷଙ୍କ ପ୍ରତି ସେ ନିଜର ସମର୍ଥନ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ ଗଣତାନ୍ତ୍ରିକ ପରମ୍ପରାକୁ ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଦେବା ଉଚିତ। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ଲେଖିଛନ୍ତି, ବ୍ରାଜିଲର ସରକାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ଓ ଦଙ୍ଗାକୁ ସେ ନିନ୍ଦା କରୁଛନ୍ତି। ବ୍ରାଜିଲର ନିର୍ବାଚିତ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ଓରଫ ଲୁଲାଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି ଯେ ବ୍ରାଜିଲର କର୍ତ୍ତୃପକ୍ଷଙ୍କ ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ରହିଛି।