ଏଭଳି ସ୍ଥିତିରେ ସିଦ୍ଧୁ ଇସ୍ତଫା ଦେଇ ବିଶ୍ବାସଘାତ କରିଛନ୍ତି: ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର

ଚଣ୍ଡୀଗଡ଼: ନାଟକୀୟ ମୋଡ଼ ନେବା‌ରେ ଲାଗିଛି ପଞ୍ଜାବ କଂଗ୍ରେସ ରାଜନୀତି। ହଠାତ୍ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ର ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସିଦ୍ଧୁ ବିଶ୍ବାସଘାତ କରିଥିବା କହିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର।

ସେ ଟୁଇଟ କରି କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ପଞ୍ଜାବ କଂଗ୍ରେସକୁ ଭୁଶୁଡିବାରୁ ବଞ୍ଚାଇବା ପ‌ାଇଁ ସିଦ୍ଧୁଙ୍କ ଉପରେ ଭରସା କରିଥିଲେ। ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଥିଲେ। ସବୁ ପରେ ବି ଏଭଳି ଇସ୍ତଫ‌ା ଦେଇ ସେ ଦଳ ପ୍ରତି ବିଶ୍ବାସଘାତ କରିଛନ୍ତି।

ଏହା ପୂର୍ବରୁ ସିଦ୍ଧୁଙ୍କ ଇସ୍ତଫା ପରେ ତାଙ୍କୁ ଟାର୍ଗେଟ କରି ସମାଲୋଚନା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସେ କହିଥିଲେ ଯେ, ଚନ୍ନିଙ୍କୁ ନିଜ ଇସାରାରେ ନଚାଇବାକୁ ଚାହୁଁଥିଲେ ସିଦ୍ଧୁ। କିନ୍ତୁ କୌଣସି ମୁଖ୍ୟମନ୍ତ୍ରୀ ଏହା ସହ୍ୟ କରିବେ ନାହିଁ। ରାଜ୍ୟ ଚଳାଇବା ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ଣ୍ଣ ଛାଡ ଦିଆଯିବା ଉଚିତ୍। ଯଦି ସିଦ୍ଧୁ ଭାବିବେ ଯେ ସେ ଚନ୍ନିଙ୍କ ମାଧ୍ୟମରେ ସରକାର ଚଳାଇବେ, ତେବେ ଏଭଳି ହେବା ସ୍ୱାଭାବିକ। ମୁଁ ଇସ୍ତଫା ପତ୍ର ଦେଖିଲି। ମୁଁ ଜାଣିବାକୁ ପାଇଲି ଯେ, ସେ ଅନ୍ୟ ଦଳ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି |

ସମ୍ବନ୍ଧିତ ଖବର