ନୂଆଦିଲ୍ଲୀ: ମନିଲଣ୍ଡରିଂ ଉପରେ ଟେରର୍ ଫାଇନାନ୍ସିଂ ୱାଚ୍‌ଡଗ୍ ଏଫ୍‌ଏଟିଏଫ୍‌ (ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ)ର ରିପୋର୍ଟରେ ‘ଗାନ୍ଧି ପରିବାରର ଦୁର୍ନୀତିର କାହାଣୀ’ ଏକ ଅଂଶ ହେବା ‘ଲଜ୍ଜାଜନକ’ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର। ଠାକୁର ଏକ ବିବୃତିରେ କହିଛନ୍ତି, କଂଗ୍ରେସ ଦୁର୍ନୀତିର ନୂଆ ଦିଗ ଲୋକଲୋଚନକୁ ଆସୁଛି। ବର୍ତ୍ତମାନ ଏଫ୍‌ଏଟିଏଫ୍‌ ଏହାର ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଦର୍ଶାଯାଇଛି ଯେ ପ୍ରିୟଙ୍କା ଗାନ୍ଧିଭଦ୍ରାଙ୍କ ଏକ ସାଧାରଣ ପେଣ୍ଟିଂ (ତୈଳଚିତ୍ର)କୁ ୨ କୋଟି ଟଙ୍କାରେ କିଣିବା ପାଇଁ ଉପା ସରକାର ଜଣେ ଲୋକ ଉପରେ ଚାପ ପକାଇଥିଲେ। ଅନୁରାଗ ଠାକୁର କହିଛନ୍ତି, ଏମ୍‌ଏଫ୍‌ ହୁସେନଙ୍କ ଦ୍ବାରା ଅଙ୍କାଯାଇଥିବା ପ୍ରିୟଙ୍କାଙ୍କ ମାମୁଲି ତୈଳଚିତ୍ରକୁ ୨ କୋଟି ଟଙ୍କାରେ କିଣିବା ପାଇଁ ୟେସ ବ୍ୟାଙ୍କର ପୂର୍ବତନ ସିଇଓ ତଥା ସହପ୍ରତିଷ୍ଠାତା ରାଣା କପୁରଙ୍କ ଉପରେ ଉପା ସରକାର ଚାପ ପକାଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୨୦୨୦ରେ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲା।

Advertisment

ଏଫ୍‌ଏଟିଏଫ୍‌ର ଉକ୍ତ ରିପୋର୍ଟର ଶୀର୍ଷକ ହେଉଛି ‘ମନିଲଣ୍ଡରିଂ ଆଣ୍ଡ୍ ଟେରରିଷ୍ଟ ଫାଇନାନ୍ସିଂ ଇନ୍ ଦ ଆର୍ଟସ ଆଣ୍ଡ ଦ ଆଣ୍ଟିକ୍ସ ମାର୍କେଟ୍’। ତେବେ ରିପୋର୍ଟରେ ଚିତ୍ରଟି କିଣିଥିବା ବ୍ୟାଙ୍କରଙ୍କ ନାଁ ନାହିଁ କିମ୍ବା ସେ ଯାହାଙ୍କଠାରୁ କିଣିଥିଲେ ସେହି କଂଗ୍ରେସ ନେତାଙ୍କ ନାଁ ବି ନାହିଁ। ସେଥିରେ କେବଳ ଅଭିଯୁକ୍ତଙ୍କ ନାଁ ‘ମିଃ ଏ’ ବୋଲି ଲେଖା ଅଛି। ଅନୁରାଗ ଠାକୁର କହିଛନ୍ତି, ପ୍ରିୟଙ୍କା ଗାନ୍ଧି ଉକ୍ତ ବ୍ୟାଙ୍କର ‘ମିଃ ଏ’ଙ୍କ ପୂରା ନାମ ପ୍ରକାଶ କରି ନିଜ ସ୍ବଚ୍ଛତାର ପରିଚୟ ଦେବା ଉଚିତ। ରିପୋର୍ଟରେ କୁହାଯାଇଛି ଯେ, ମିଃ ଏ ଚିତ୍ର କିଣିବା ନାଁରେ ଯେଉଁ ୨ କୋଟି ଟଙ୍କା ଦେଇଥିଲେ, ତାହା ପ୍ରକୃତରେ ଚିତ୍ର ପାଇଁ ଦେଇ ନ ଥିଲେ କି ଚିତ୍ର ଦାମ୍ ଏତେ ହେବ ନାହିଁ। ସେ ଭାରତର ତୃତୀୟ ବୃହତ୍ତମ ନାଗରିକ ସମ୍ମାନ ପଦ୍ମଭୂଷଣ ଉପାଧି ପାଇବା ପାଇଁ ଏହି ଟଙ୍କା ଲାଞ୍ଚ ହିସାବରେ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବା ପାଇଁ ଦେଇଥିଲେ। ଠାକୁର ବିରୋଧୀ ଦଳକୁ ପ୍ରଶ୍ନ କରିଛନ୍ତି, ତାଙ୍କ ସରକାର ଅମଳରେ ଟଙ୍କା ଓ ଚିତ୍ର ବିନିମୟରେ ପଦ୍ମଭୂଷଣ ସମ୍ମାନ ଦିଆଯାଉଥିଲା କି? ଏହା କ’ଣ କଂଗ୍ରେସର ଏକ ଦୁର୍ନୀତି ମଡେଲ? ଆଉ କେତେ ଜାତୀୟ ପୁରସ୍କାର ଏମିତି ଟଙ୍କା ନେଇ ବିକାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଇଡି ଦ୍ବାରା ଗତବର୍ଷ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ଦର୍ଶାଯାଇଛି ଯେ, ଏମ୍‌ଏଫ୍‌ ହୁସେନଙ୍କ ପେଣ୍ଟିଂ ପାଇଁ ରାଣା କପୁର ୨ କୋଟି ଟଙ୍କାର ଚେକ୍ ଦେଇଥିଲେ। କଂଗ୍ରେସ ନେତା ମିଲିନ୍ଦ ଦେଓରା ରାଣାଙ୍କୁ ଚିତ୍ରଟି କିଣିବା ପାଇଁ ମନାଇଥିଲେ। ମିଲିନ୍ଦ ପରେ କପୁରଙ୍କୁ କହିଥିଲେ ଯେ ଏହି ଟଙ୍କା ସୋନିଆ ଗାନ୍ଧିଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଛି। ରାଣା କପୁରଙ୍କୁ ୪୬୬ କୋଟି ଟଙ୍କାର ମନିଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ସେ ବର୍ତ୍ତମାନ ବିଚାରବିଭାଗୀୟ ହାଜତରେ ଅଛନ୍ତି।