ପୂଜା ଦଦ୍‌ଲାନିଙ୍କ ସିଡିଆର୍ ପାଇଁ ହ୍ୟାକରଙ୍କୁ ୫ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ ୨ ବ୍ୟକ୍ତି

ମୁମ୍ବାଇ : ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ମିଳିଛି। କିନ୍ତୁ ସେ ଗିରଫ ହେବା ପରଠାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବା ବେଳେ ଏବେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ଶାହରୁଖଙ୍କ ମ୍ୟାନେଜର ପୂଜା ଦଦ୍‌ଲାନି ଏବଂ ଅନ୍ୟମାନଙ୍କ କଲ୍‌ ଡାଟା ରେକର୍ଡ (ସିଡିଆର୍‌) ପାଇବା ପାଇଁ ଜଣେ ଏଥିକାଲ ହ୍ୟାକରକୁ ୫ ଲକ୍ଷ ଟଙ୍କା ଯଚାଯାଇଥିଲା।

ଫ୍ରି ପ୍ରେସ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମନିଷ ଭଙ୍ଗାଲେ ନାମକ ଜଣେ ହ୍ୟାକର ମୁମ୍ବାଇ ପୁଲିସ କମିସନରରେଟକୁ ଏ ନେଇ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଆଲୋକ ଜୈନ ଏବଂ ଶୈଳେଶ ଚୌଧାରୀ ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ଗତ ୬ ତାରିଖରେ ଯୋଗାଯୋଗ କରିଥିଲେ। ଶାହରୁଖଙ୍କ ମ୍ୟାନେଜର ସମେତ ଅନ୍ୟ କେତେଜଣଙ୍କ ସିଡିଆର୍ ପାଇଁ ସେମାନେ କହିଥିଲେ। ଏପିରିକି ସେହି ବ୍ୟକ୍ତିଦ୍ବୟ ତାଙ୍କୁ ଏକ ପୁରୁଣା ହ୍ବାଟ୍‌ସଆପ୍ ଚାଟ୍ ବ୍ୟାକଅପ୍ ଫାଇଲ ଦେଖା‌ଇଥିଲେ। ଏହାର ନାମ ଆର୍ୟନ ଖାନ୍ ଚାଟ୍ ରହିଥିଲା। ଏଥିସହିତ ପ୍ରଭାକର ଶୈଳଙ୍କ ନାମରେ ଏକ ଡମି ସିମ୍ କାର୍ଡ ପ୍ରଦାନ କରିବା ପାଇଁ ମଧ୍ୟ ସେମାନେ ତାଙ୍କୁ କହିଥିଲେ। କିନ୍ତୁ ସେ ତାହା କରି ନଥିଲେ। କିଛିଦିନ ପରେ ସେମାନେ ଯେତେବେଳେ ଶୈଳଙ୍କ ନାମ ଖବରରେ ଦେଖିଥିଲେ ପୁଲିସକୁ ଏ ସଂପର୍କରେ ସୂଚନା ଦେବା ଠିକ୍ ହେବ ବୋଲି ମନେ କରିଥିଲେ।

ସମ୍ବନ୍ଧିତ ଖବର