ପର୍ନଷ୍ଟାରଙ୍କ ମୁହଁ ବନ୍ଦ ପାଇଁ ଲାଞ୍ଚ ମାମଲା: ଆତ୍ମସମର୍ପଣ କରିପାରନ୍ତି ଟ୍ରମ୍ପ

ୱାସିଂଟନ: ଯୌନ ସଂପର୍କ ମାମଲାରେ ପର୍ନଷ୍ଟାରଙ୍କ ମୁହଁ ବନ୍ଦ ପାଇଁ ଅର୍ଥ ପ୍ରଦାନ କରିଥିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଅଭିଯୋଗ‌ଫର୍ଦ୍ଦ ଦାଖଲ ହୋଇଛି। ଅଭିଯୋଗଫର୍ଦ୍ଦ ଦାଖଲ ପରେ ଆସନ୍ତା ସପ୍ତାହରେ ଟ୍ରମ୍ପ ମାନହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବା ସମ୍ଭାବନା ରହିଛି। ଟ୍ରମ୍ପଙ୍କ ଲିଗାଲ ଟିମ୍ ତଦନ୍ତକାରୀ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆସନ୍ତା ସପ୍ତାହରେ ସେ ଦୋଷୀସାବ୍ୟସ୍ତ ହେବାର ସମ୍ଭାବନା ରହିଛି।

ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ରାଷ୍ଟ୍ରପତି ଯିଏକି ଅପରାଧିକ ଅଭିଯୋଗର ସାମ୍ନା କରୁଛନ୍ତି। ଏହାସତ୍ତ୍ବେ ଅଦାଲତରେ ଯଦି ସେ ଦୋଷୀସାବ୍ୟସ୍ତ ହୁଅନ୍ତି ତାହେଲେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷିତ ହେବେନାହିଁ। ଗତବର୍ଷ ନଭେମ୍ବରରେ ଟ୍ରମ୍ପ ନିର୍ବାଚନରେ ଭାଗ ନେବା ପାଇଁ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି।ମାନହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣିଙ୍କ କାର୍ଯ୍ୟାଳୟର ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ, ଟ୍ରମ୍ପଙ୍କ ଆତ୍ମସମର୍ପଣ ପାଇଁ ସେମାନେ ଟ୍ରମ୍ପଙ୍କ ଆଇନଜୀବୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଉକ୍ତ ଅଭିଯୋଗଫର୍ଦ୍ଦ ବନ୍ଦ ଲଫାପାରେ ରହିଛି। ସେ ଯେଭଳି ନିରାପଦରେ ଆସି ଆତ୍ମସମର୍ପଣ କରିବେ ତାହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ କର୍ତ୍ତୃପକ୍ଷ ଏବଂ ଟ୍ରମ୍ପଙ୍କ ଲିଗାଲ ଟିମ୍ ସହିତ ଗୁଇନ୍ଦା ସଂସ୍ଥା ସମନ୍ବୟ ରଖିବେ। ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଓକିଲ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ୧,୩୦,୦୦୦ ଡଲାର ଅର୍ଥ ପ୍ରଦାନ କରିଥିବା ସଂପର୍କରେ ଦୀର୍ଘଦିନ ଧରି ତଦନ୍ତ ଚାଲିବା ପରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ଅନ୍ୟପକ୍ଷରେ ଟ୍ରମ୍ପ ଏହି ତଦନ୍ତକୁ ରାଜନୈତିକ ଅଭିସନ୍ଧିମୂଳକ ବୋଲି କହିବା ସହ ସେ ଉକ୍ତ ମାମଲାରେ ସଂପୂର୍ଣ୍ଣ ନିରୀହ ‌ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର