ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍‌ର କାଜାନ୍‌ରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ମୋଦୀ କହିଛନ୍ତି, ଭାରତ ଯୁଦ୍ଧକୁ କଦାପି ସମର୍ଥନ କରେନାହିଁ ଏବଂ ଏହା କଥାବାର୍ତ୍ତା ତଥା କୂଟନୈତିକ ସ୍ତରରେ ହିଁ ସମାଧାନକୁ ଏକମାତ୍ର ପନ୍ଥା ଭାବେ ଦେଖୁଛି। ସଂପ୍ରତି ବିଶ୍ବରେ ଦେଖାଦେଇଥିବା ଉତ୍ତେଜନା ଓ ସଂଘର୍ଷଜନିତ ସବୁ ସମସ୍ୟାର ସମାଧାନ କେବଳ କଥାବାର୍ତ୍ତା ମାଧ୍ୟମରେ ହିଁ ହୋଇପାରିବ। ବିଶ୍ବ ଏବେ ଅନେକ ବିଶାଳ ଚ୍ୟାଲେଞ୍ଜ ସାମ୍ନା କରୁଥିବା ବେଳେ ଏଭଳି ଏକ ସମୟରେ ବ୍ରିକ୍ସ ସମ୍ମିଳନୀରେ ଯେଉଁ ନିଷ୍ପତ୍ତି ନିଆଯିବ, ତାହା ଉପରେ ଅନେକ କିଛି ନିର୍ଭର କରୁଛି। ବିଶ୍ବ ମଧ୍ୟ ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନ ବିଷୟରେ ଚର୍ଚ୍ଚା କରୁଛି। ଯେଉଁ ସମୟରେ ଦରବୃଦ୍ଧି ନିରାକରଣ, ଖାଦ୍ୟ ସୁରକ୍ଷା, ଶକ୍ତି, ସ୍ବାସ୍ଥ୍ୟ ଏବଂ ଜଳ ସୁରକ୍ଷା ଭଳି ବିଷୟବସ୍ତୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସେହି ସମୟରେ ସଂଘର୍ଷ ଓ ଅସ୍ଥିରତା ଆମ ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ହେଉଛି। ଆଜିର ବୈଷୟିକ ଜ୍ଞାନକୌଶଳର ଯୁଗରେ ମଧ୍ୟ କୁପ୍ରଚାର ଏବଂ ସାଇବର୍‌ଫ୍ରଡ୍ ସମେତ ଅନ୍ୟାନ୍ୟ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଉପରେ ଉଚ୍ଚ ଆଶା ରହିଛି ଏବଂ ମୁଁ ବିଶ୍ବାସ କରୁଛି ଯେ ଆମେ 
ଏକ ବହୁମୁଖୀ ମଞ୍ଚ ଭାବେ ସମସ୍ତ କ୍ଷେତ୍ରରେ ସକାରାତ୍ମକ ଭୂମିକା ନିର୍ବାହ କରିପାରିବା। ଆମେ ଲୋକଙ୍କ କଲ୍ୟାଣ ଚିନ୍ତା କରି କାମ କରିବା ଉଚିତ। ବିଶ୍ବକୁ ଆମେ ଏହି ବାର୍ତ୍ତା ଦେବାକୁ ପଡ଼ିବ ଯେ ବ୍ରିକ୍ସରେ କୌଣସି ବିଭାଜନ ହୋଇନାହିଁ ଏବଂ ଆମେ ଯୁଦ୍ଧ ନୁହେଁ, ବରଂ କଥାବାର୍ତ୍ତା ଓ କୂଟନୈତିକ ସମାଧାନକୁ ସମର୍ଥନ କରୁଛୁ। 

Advertisment

ସୁରକ୍ଷିତ ଓ ସମୃଦ୍ଧ ଭବିଷ୍ୟତ ସୃଷ୍ଟି କରିପାରିବ ‘ବ୍ରିକ୍ସ’
ଆତଙ୍କବାଦ ବି‌ରୋଧରେ ସବୁ ରାଷ୍ଟ୍ର ଏକାଠି ହେବାକୁ ଆହ୍ବାନ

ମୋଦୀ ତାଙ୍କ ଉଦ୍‌ବୋଧନରେ କରୋନା ମହାମାରୀର ଉଦାହରଣ ଦେଇଛନ୍ତି। କରୋନା ମହାମାରୀ ସମୟରେ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ୍‌, ରୁଷ୍‌, ଭାରତ, ଚୀନ୍‌ ଏବଂ ଦକ୍ଷିଣ ଆଫ୍ରିକା‌ ଯେଭଳି ଏକାଠି କାମ କଲେ ତାହା ବିଶ୍ବ ପାଇଁ ବହୁତ ବଡ଼ ଉଦାହରଣ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏକାଠି ଏକ ସୁରକ୍ଷିତ, ସୁଦୃଢ଼ ଓ ସମୃଦ୍ଧ ଭବିଷ୍ୟତ ସୃଷ୍ଟି କରିପାରିବେ ବୋଲି ମୋଦୀ କହିଛନ୍ତି। ‌ମୋଦୀ ମଧ୍ୟ ଆତଙ୍କବାଦ ପ୍ରସଙ୍ଗରେ ବୈଠକରେ ଆଲୋଚନା କରିଛନ୍ତି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ ସବୁ ରାଷ୍ଟ୍ର ଏକଜୁଟ୍‌ ହେବାପାଇଁ ମୋଦୀ ଆହ୍ବାନ ଦେଇଛନ୍ତି। ମୋଦୀ କହିଛନ୍ତି, ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୋମୁହାଁ ନୀତିର କୌଣସି ସ୍ଥାନ ନାହିଁ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ ମୋଦୀ କହିଛନ୍ତି, ବୈଶ୍ବିକ ଅନୁଷ୍ଠାନଗୁଡ଼ିକ‌ରେ ସଂସ୍କାର ଆବଶ୍ୟକ ଅଛି ଏବଂ ବ୍ରିକ୍ସ ଏହି ସବୁ ଅନୁଷ୍ଠାନଗୁଡ଼ିକୁ ବଦଳାଇବା ପରିବର୍ତ୍ତେ ଏଥିରେ ପରିବର୍ତ୍ତନ ଆଣିବାକୁ ଗୁରୁତ୍ବ ଦେବା ଉଚିତ ହେବ। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମଳିନୀ ଆଜି ସମାପନ ହୋଇଥିବା ବେଳେ ଏଥିରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସମେତ ୨୦ ଜଣ ରାଷ୍ଟ୍ରମୁଖ୍ୟ ସାମିଲ ହୋଇଥିଲେ। ଏଥର ବ୍ରିକ୍ସରେ ୩୬ଟି ରାଷ୍ଟ୍ରର ପ୍ରତିନିଧିତ୍ବ ରହିଥିଲା।