ନୂଆଦିଲ୍ଲୀ: ବିହାର ନାଳନ୍ଦା ଜିଲ୍ଲାରେ ବିବାହ ଶେଷ ହେବାପରେ ବର ଓ ବଧୂଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କିଛି କ୍ଷଣ ମଧ୍ୟରେ ଦୁଇପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ବାହାଘର ପରେ ବର ଓ ବଧୂ ହସଖୁସିରେ ଘରକୁ ଫେରୁଥିବା ବେଳେ ତାଙ୍କ କାରକୁ ଏକ ଦ୍ରୁତଗତିରେ ଆସୁଥିବା ଟ୍ରାକ୍ଟର ଧକ୍କା ଦେଇଥିଲା।
ଫଳରେ କାରଟି ରାସ୍ତପାର୍ଶ୍ବକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ବର ଓ ବଧୂଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏଥିସହିତ ବରଙ୍କ ଭିଣୋଇ ବି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହିତ ଟ୍ରାକ୍ଟର ଚାଳକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ, ଶୁକ୍ରବାର ଗିରିୟକ ସତୋଆ ଗ୍ରାମରେ ରହୁଥିବା କାରୁ ଚୌଧୁରୀଙ୍କ ଝିଅ ପୁଷ୍ପା କୁମାରୀଙ୍କ ବିବାହ ନାବଦାର ମହାରଣା ଗ୍ରାମରେ ବସବାସ କରୁଥିବା ଶ୍ୟାମ କୁମାରଙ୍କ ସହିତ ହୋଇଥିଲା। ବିବାହ ଶେଷ ପରେ ବର ଶ୍ୟାମ କନ୍ୟା ପୁଷ୍ପାଙ୍କୁ ଧରି ହସଖୁସିରେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ଆସି ତାଙ୍କ କାରକୁ ଧକ୍କା ଦେଇଥିଲା। କିଛି କ୍ଷଣ ମଧ୍ୟରେ ସବୁ ଆଶା, ସ୍ବପ୍ନ ଓ ଖୁସି ଅଧାରେ ରହିଯାଇଥିଲା। କାରଣ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ପୁଷ୍ପା ଓ ଶ୍ୟାମଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବରଙ୍କ ଭିଣୋଇ ଓ କାର ଚାଳକ ଗୁରୁତର ଆହତ ହୋଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତ ବର ଓ ବଧୂଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।