ରାଞ୍ଚି: ଝାଡ଼ଖଣ୍ଡ ଚାତରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ପ୍ରିୟଙ୍କା କୁମାରୀଙ୍କ ନାମରେ ଶାଦି ଡଟ୍ କମ୍ ମାଧ୍ୟମରେ ଜଣେ ନୁହେଁ ବରଂ ତିନି ଜଣ ଯୁବକଙ୍କୁ ଠକି ବିଦେଶକୁ ପଳାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି । ମିଳିଥିବା ସୂଚନା ମୁତାବକ ପ୍ରିୟଙ୍କା ପ୍ରଥମେ ଶାଦି ଡଟ୍ କମରେ ଗିରିଡିହର ନିଳୟ କୁମାର ନାମକ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଏହା ପରେ ନିଳୟଙ୍କ ସହ ପ୍ରିୟଙ୍କା ବିବାହ କରିଥିଲେ |

Advertisment

ବିବାହର ଠିକ ଦୁଇ ବର୍ଷ ପରେ ପ୍ରିୟଙ୍କା ନିଳୟଙ୍କଠାରୁ ଏକ କୋଟି ଟଙ୍କା ଠକି ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ପୁଣିଥରେ ଶାଦି ଡଟ୍ କମ ମାଧ୍ୟମରେ ପ୍ରିୟଙ୍କା ଗୁଜୁରାଟର ରାଜକୋଟରେ ଅମିତ ମୋଦୀ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହ ରହିବାକୁ ଲାଗିଲେ। ପରିବାରର ଆର୍ଥିକ ସଙ୍କଟ ଦର୍ଶାଇ ସେ ଅମିତଙ୍କ ଠାରୁ ପ୍ରାୟ ୪୦ ରୁ ୪୫ ଲକ୍ଷ ଟଙ୍କା ନେଇଥିଲେ। ଅମିତ ମୋଦୀଙ୍କ ସହ କିଛି ମାସ ରହିବା ପରେ ପ୍ରିୟଙ୍କା କହିଥିଲେ ଯେ ତାଙ୍କ ଭଉଣୀଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ପଡିବ। ତେଣୁ ତାଙ୍କୁ ଦିଲ୍ଲୀ ଯିବାକୁ ପଡିବ। ଏହା ପରେ, ପ୍ରିୟଙ୍କା ଦିଲ୍ଲୀ ଯିବା କହି ଫେରାର ହୋଇଯାଇଥିଲେ |

ଅମିତ ପରେ ଜାଣିବାକୁ ପାଇଲେ ଯେ ୨୯ ଡିସେମ୍ବର ୨୦୧୮ ରେ ପ୍ରିୟଙ୍କା ପୁଣେର ସୁମିତ ଦଶରଥ ପାୱାର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହ ସେ କାଲିଫର୍ଣ୍ଣିଆ ଚାଲିଯାଇଛନ୍ତି । ଯାହାକୁ ନେଇ ଅମିତ ପୁଣେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ତଦନ୍ତ ଆରମ୍ଭ ହୋଇଥିଲା। ଏଥିରୁ ଜଣାପଡିଥିଲା ଯେ ପ୍ରିୟଙ୍କା କେବଳ ଗୁଜୁରାଟର ଦୁଇ ଜଣ ଯୁବକଙ୍କୁ ଠକିନାହାନ୍ତି ବରଂ ଝାଡ଼ଖଣ୍ଡର ଜଣେ ଯୁବକଙ୍କୁ ମଧ୍ୟ ଠକି ଚାଲିଯାଇଛନ୍ତି | ପୁଣେ ପୁଲିସ ଝାଡ଼ଖଣ୍ଡ ପୁଲିସ ସହ ସମ୍ପର୍କ କରିବା ପରେ ଝାଡ଼ଖଣ୍ଡର ଚାତରାରେ ମଧ୍ୟ ମାମଲା ରୁଜୁ କରାଯାଇଛି |