ଯୌତୁକ ପାଇଁ ବର ନ ଆସିବାରୁ ଆତ୍ମହତ୍ୟା କଲା ଝିଅର ବାପା

ଫତେହପୁର: ଅଧିକ ଯୌତୁକ ଦାବି କରି ବାହାଘରକୁ ଆସିଲା ନାହିଁ ବର | ଏଥିରେ ଭାଙ୍ଗିପଡି ମଙ୍ଗୁଳାକନ୍ୟା କୁଆଡେ ପଳାଇଲେ, ଆଉ ଝିଅର ଏହି ଅବସ୍ଥା ଦେଖି ଆତ୍ମହତ୍ୟା କଲେ କନ୍ୟାର ବାପା | ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଯୌତୁକ ପାଇଁ ବର ବେଦୀକୁ ଆସିନଥିଲା, ଆଉ କନ୍ୟା ପିତା ଦଉଡିରେ ଝୁଲିପଡ଼ିଛନ୍ତି | ମିଳିଥିବା ସୂଚନା ମୁତାବକ ଫତେହପୁରର ନୟାପୁରଭା ଗ୍ରାମର ୪୫ ବର୍ଷୀୟ ରାମସୁଫଲ ନିଶାଦଙ୍କ ଝିଅ ମାଳାଙ୍କ ବିବାହ ହମିରପୁର ଜିଲ୍ଲାରେ ସ୍ଥିର ହୋଇଥିଲା |

ଆଉ ଏହି ବିବାହ ୬ ଡିସେମ୍ବରରେ ହେବାର ଥିଲା | ତେବେ ଯୌତୁକ ଦାବି କରି ବର ଅଡ଼ିବସିଥିଲା | କନ୍ୟାର ବାପା ଯୌତୁକ ଦେବାକୁ ଅସମର୍ଥ ହେବାରୁ ବର ବେଦିକୁ ନ ଆସି ଫେରିଯାଇଥିଲା | ଏହି ଘଟଣା ପରେ କନ୍ୟା କୁଆଡେ ଚାଲିଯାଇଥିଲେ | ଆଉ କନ୍ୟା କୁଆଡେ ଚାଲିଯିବା ପରେ ଭାଙ୍ଗିପଡି ବାପା ରାମସୁଫଲ ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଏହି ମାମଲାରେ ମୃତକଙ୍କ ବଡ ଝିଅ ପ୍ରୀତି ଦେବୀ ଅଭିଯୋଗ କରିଛନ୍ତି ଯେ ବରର ଯୌତୁକ ନିଶା ପାଇଁ ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି | ପୁଲିସ ବର୍ତ୍ତମାନ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି |

ସମ୍ବନ୍ଧିତ ଖବର