ବିବାହରେ ମିଳିଥିବା ଦେଢ଼ ଲକ୍ଷ ଟଙ୍କାକୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ କନ୍ୟା

ସୁରଟ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ଏବେ ଦାନ ଦେବାରେ ଲାଗିପଡିଛନ୍ତି | ତେବେ ବିବାହ ସମୟରେ ମିଳିଥିବା ଅର୍ଥରାଶିକୁ ଜଣେ କନ୍ୟା ରାମ ମନ୍ଦିର ପାଇଁ ଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି | ବିବାହ ପରେ ଅତିଥି ଓ ପରିବାରବର୍ଗଙ୍କ ତରଫରୁ ମିଳିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କାକୁ ସେ ରାମମନ୍ଦିର ପାଇଁ ଦାନ କରିଛନ୍ତି | ଆଉ ଦାନ କରିବା ପରେ କନ୍ୟା ଜଣକ କହିଛନ୍ତି ଯେ ଯେବେ ବି ରାମଙ୍କ ମନ୍ଦିର ଦେଖିବି, ମୋର ବିବାହ କଥା ମନେପଡିବ | ମିଳିଥିବା ସୂଚନା ମୁତାବକ ସୁରଟରେ ରହୁଥିବା ହୀରା ବ୍ୟବସାୟୀ ରମେଶ ଭଲାନିଙ୍କ ଝିଅ ଦୃଷ୍ଟି ଜଣେ ଜୁଏଲାରୀ ଡିଜାଇନର୍ |

ଆଉ ତାଙ୍କ ବିବାହ ସୁରଟର ଜଣେ ବ୍ୟବସାୟୀଙ୍କ ସହ ହୋଇଛି | ତେବେ ବିବାହ ସମୟରେ କନ୍ୟାଦାନ ଭାବରେ ପରିବାରବର୍ଗ ଓ ଅତିଥିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ପାଇଥିଲେ | ଆଉ ଏହି ଟଙ୍କାକୁ ଦୃଷ୍ଟି ରାମ ମନ୍ଦିର ନିର୍ମାଣ ପାଣ୍ଠିକୁ ଦାନ କରିଛନ୍ତି | ଏହାକୁ ନେଇ କନ୍ୟା ଦୃଷ୍ଟି କହିଛନ୍ତି ଯେ ‘ବର୍ତ୍ତମାନ ଯେତେବେଳେ ଭଗବାନ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ ହେବାକୁ ଯାଉଛି, ଏହା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ | ଏଥିପାଇଁ ମୁଁ ମୋ ବାପାଙ୍କଠାରୁ ପ୍ରେରଣା ପାଇଲି |

ଭବିଷ୍ୟତରେ ଯେତେବେଳେ ମୁଁ ଅଯୋଧ୍ୟାକୁ ଯାଇ ପ୍ରଭୁ ରାମଙ୍କୁ ଦେଖିବି, ମୋର ବିବାହ ଦିନ ମନେ ପଡିବ | ସୂଚନାଯୋଗ୍ୟ ଯେ ସୁରଟରେ ପ୍ରତିଦିନ କେହି ନା କେହି ରାମ ମନ୍ଦିର ପାଇଁ ଦାନ ଦେଉଛନ୍ତି। କିଛି ଦିନ ତଳେ ସୁରଟରେ ରହୁଥିବା ଦୁଇ ବ୍ୟବସାୟୀ ଧନଜୀ ରାଖୋଲିଆ ଏବଂ ରାକେଶ ଦୁଧତ୍ ୧୧ ଲକ୍ଷ ଟଙ୍କା ଲେଖାଏଁ ଦାନ ଦେଇଥିଲେ ।

ସମ୍ବନ୍ଧିତ ଖବର