ଶାଶୁଘର ଦୂର ଥିବାରୁ ସିନ୍ଦୂର ପିନ୍ଧିବାର ୭ଘଣ୍ଟା ପରେ ବିବାହ ଭାଙ୍ଗିଲେ କନ୍ୟା

କାମନପୁର: ଶାଶୁଘର ଦୂର ଥିବାରୁ ସିନ୍ଦୂର ପିନ୍ଧିବାର ୭ଘଣ୍ଟା ପରେ ବିବାହ ଭାଙ୍ଗିଲେ ମହିଳା। ଜଣେ ମହିଳା ତାଙ୍କ ପରିବାର ସଦସ୍ୟଙ୍କ ସହମତିରେ କୋର୍ଟରେ ବିବାହ କରିଥିଲେ ଏବଂ ତା’ପରେ ରୀତିନୀତି ଅନୁଯାୟୀ ବେଦୀରେ ବସି ବିବାହ କରିଥିଲେ। ବିବାହ ପରେ ଘରୁ ବିଦା ହୋଇ କାରରେ ପ୍ରାୟ ୪୦୦କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ। ହେଲେ ସେଠାରେ ଆହୁରି ୯୦୦କିଲୋମିଟର ଯିବାକୁ ପଡ଼ିବ ଜାଣି ମହିଳା ତୁରନ୍ତ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ।

ମିଳିଥିବା ସୂଚନା ମୁତାବକ, ବନାରସର ବାସିନ୍ଦା ବୈଷ୍ଣବୀଙ୍କ ବିବାହ ବିକାନେରର ବାସିନ୍ଦା ରବିଙ୍କ ସହ ସ୍ଥିର ହୋଇଥିଲା। ରବି ଗୁରୁବାର ବରଯାତ୍ରୀ ନେଇ ବନାରସକୁ ଆସିଥିଲେ। ରବି ଏବଂ ବୈଷ୍ଣବୀଙ୍କର କୋର୍ଟରେ ବିବାହ ହେବା ପରେ ରୀତିନୀତି ଅନୁଯାୟୀ ବେଦୀରେ ବସି ଦୁହେଁ ବିବାହ କରିଥିଲେ। ଘରୁ ବିଦା ହୋଇ ବନାରସଠାରୁ ୪୦୦କିଲୋମିଟର ଯାତ୍ରା କରିବା ପରେ ରବି ଏବଂ ବୈଷ୍ଣବୀ ପ୍ରାୟ ୭ଘଣ୍ଟା ମଧ୍ୟରେ କାନପୁରର ସରସୌଲ ଅଞ୍ଚଳରେ ପହଞ୍ଚିଥିଲେ। ଏହି ସମୟରେ ବର ଏକ ପେଟ୍ରୋଲ ପମ୍ପ ନିକଟରେ ନିଜର ଇନୋଭା କାରକୁ ଅଟକାଇ ଚା’ ଏବଂ ଜଳଖିଆ ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ବର ଗାଡ଼ିରୁ ବାହାରିବା ପରେ ବୈଷ୍ଣବୀ ଜୋରରେ କାନ୍ଦିବାକୁ ଲାଗିଥିଲେ। ପାଖରେ ଠିଆ ହୋଇଥିବା ପୁଲିସ କାନ୍ଦ ଶୁଣି କାରଣ ପଚାରିବାରୁ ବୈଷ୍ଣବୀ କହିଥିଲେ, ବିବାହ ପୂର୍ବରୁ ପ୍ରୟାଗରାଜରେ ରହୁଥିବା କହି ଏବେ ମୋତେ ରାଜସ୍ଥାନର ବିକାନେରକୁ ନେଉଛନ୍ତି। ବନାରସରୁ ଏତେ ବାଟ ଆସି ମୁଁ ଥକି ଗଲାଣି, ଏବେ ଆଉ ଆଗକୁ ଯିବିନାହିଁ। ମୁଁ ଏହି ବିବାହ ଭାଙ୍ଗିବାକୁ ଚାହୁଁଛି।

ଏସବୁ ଜାଣିବା ପରେ ପୁଲିସ ରବି ଓ ବୈଷ୍ଣବୀଙ୍କୁ ବସାଇ କନ୍ୟାର ମା’ଙ୍କୁ କଲ୍ କରିଥିଲେ। ବୈଷ୍ଣବୀଙ୍କ ମା’ କହିଥିଲେ ଯେ, ମୋ ସ୍ବାମୀ ନଥିବାରୁ ଜଣେ ସମ୍ପର୍କୀୟ ବିବାହ ସ୍ଥିର କରିଥିଲେ। ରବି ପ୍ରୟାଗରାଜରେ ରହୁଥିବା ଆମେ ଜାଣିଥିଲୁ। ଯଦି ମୋ ଝିଅ ବିକାନେର ଯିବାକୁ ଚାହୁଁନାହିଁ, ତେବେ ତାକୁ ବନାରସ ପଠାଇଦିଅ। ଏହା ପରେ ବୈଷ୍ଣବୀଙ୍କୁ ବନାରସ ପଠାଯିବା ସହ ରବି ବୈଷ୍ଣବୀଙ୍କ ବିନା ବିକ‌ାନେର ଫେରିଥିଲେ।

ସମ୍ବନ୍ଧିତ ଖବର