ମୋତିହାରୀ: ବର ଟଙ୍କା ଗଣିପାରୁନଥିବା ଜାଣି ବିବାହ ଭାଙ୍ଗିଦେଲା କନ୍ୟା। ବିହାରର ମୋତିହାରୀରେ ଘଟିଛି ଏଭଳି ଘଟଣା। ବିବାହ ପାଇଁ ଆସିଥିବା ବର ଏବଂ ବରଯାତ୍ରୀ ହସଖୁସିରେ କନ୍ୟା ଘରେ ପହଞ୍ଚିଥିଲେ। ହେଲେ ବିବାହ ରୀତିନୀତି ମଧ୍ୟରେ ହିଁ କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। ବର ସମ୍ପୂର୍ଣ୍ଣ ଅଶିକ୍ଷିତ ଏବଂ ଟଙ୍କା ଗଣି ପାରୁନାହିଁ ବୋଲି କହି କନ୍ୟା ବିବାହ ଭାଙ୍ଗିବାକୁ କହିଥିଲା।
ସୂଚନା ମୁତାବକ, ଘୋଡାସହନ ଥାନା ଅଞ୍ଚଳର କଦମବା ଗାଁରୁ ବର, ବରଯାତ୍ରୀଙ୍କୁ ଧରି ପତାହୀ ଥାନା ଅଞ୍ଚଳର ଏକ ଗାଁରେ ପହଞ୍ଚିଥିଲା। ବର ପହଞ୍ଚିବା ପରେ ରାତିରେ ବରମାଳା ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ବରମାଳା ପରେ, ପରମ୍ପରା ଅନୁଯାୟୀ, କନ୍ୟା ପକ୍ଷ ବରକୁ ଗଣିବା ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ବର ଟଙ୍କା ଠିକ୍ ଭାବରେ ଗଣି ପାରି ନଥିଲା। କନ୍ୟା ଏଥିରେ ଅସନ୍ତୋଷ ପ୍ରକାଶ କରି ବିବାହ କରିବାକୁ ମନା କରିଦେଇଥିଲା । ଏହା ପରେ, ଉଭୟ ପକ୍ଷ ମଧ୍ୟରେ ବହୁତ ଉତ୍ତେଜନା ସୃଷ୍ଟି ହୋଇଥିଲା, ଯୁକ୍ତିତର୍କ ବଢ଼ିଥିଲା ଏବଂ ପରିସ୍ଥିତି ଏତେ ଖରାପ ହୋଇଥିଲା ଯେ ଗାଁ ଲୋକେ ରାତିସାରା ବର ପକ୍ଷକୁ ବନ୍ଧକ ରଖିଥିଲେ। ପରେ ପୁଲିସର ହସ୍ତକ୍ଷେପ ପରେ ପରଦିନ ବର ଏବଂ ବରଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା ବୋଲି ଜଣାପଡ଼ିଛି।