କାନପୁରରୁ କନୌଜ, ବିବାହ ପାଇଁ ୮୦ କିମି ଚାଲିଲେ କନ୍ୟା

ଲକ୍ଷ୍ନୌ: ଲକ୍‌ଡାଉନ୍‌ ପାଇଁ ଅନେକ ବିବାହ ଅଟକି ଯାଇଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷୀୟା ଯୁବତୀ ବିବାହ କରିବା ପାଇଁ କାନପୁରରୁ କନୌଜ ୮୦ କିମି ବାଟ ଚାଲିଚାଲି ବର ଘରେ ପହଞ୍ଚିଥିଲେ । କନ୍ୟାଙ୍କୁ ଦେଖିବା ପରେ ବର ଘର ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କିନ୍ତୁ ସେମାନେ କନ୍ୟାଙ୍କୁ ଗ୍ରହଣ କରିଥିଲେ। ସୁରୁଖୁରୁରେ ସେମାନଙ୍କ ବାହାଘର ‌ହୋଇଥିଲା। ଗୋଲ୍ଡି ନାମକ ଏହି ଯୁବତୀଙ୍କର ବୀରେନ୍ଦ୍ର କୁମାର ନାମକ ଜଣେ ଯୁବକଙ୍କ ସହ ବିବାହ ହେବାକୁ ମେ’ ୪ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଲକ୍‌ଡାଉନ୍‌ ବଢ଼ିବାରୁ ସେମାନଙ୍କ ବିବାହ ସ୍ଥଗିତ ରହିଥିଲା। ଉଭୟ ଗୋଲ୍ଡି ଓ ବୀରେନ୍ଦ୍ର ଫୋନ୍‌ରେ ପରସ୍ପର ସହ ଯୋଗାଯୋଗରେ ରହିଥିଲେ।

ତେବେ ଦ୍ବିତୀୟ ଥର ପାଇଁ ବିବାହକୁ ଗୋଲ୍ଡିଙ୍କ ପରିବାର ସଦସ୍ୟ ସ୍ଥଗିତ ରଖିବାରୁ ଗୋଲ୍ଡି ଭାଙ୍ଗି ପଡ଼ିଥି‌ଲେ। ସେ ଆଉ ପରିବାର ଲୋକଙ୍କ କଥା ନଶୁଣି ନିଜେ ଚାଲିଚାଲି ଏକାକି ବରଘରକୁ ବାହାରିଲେ। କାନପୁରର ଲକ୍ଷ୍ମଣପୁର ଗ୍ରାମରେ ରହୁଥିବା ଗୋଲ୍ଡି ଗତ ବୁଧବାର ଅପରାହ୍ଣରେ ଚାଲିଚାଲି ବୀରେନ୍ଦ୍ରଙ୍କ ଘରେ ପହଞ୍ଚିବାକୁ ନିଷ୍ପତ୍ତି ନେଲେ। ‌ତେବେ ଗୋଲ୍ଡି ପହଞ୍ଚିବା ପରେ ବୀରେନ୍ଦ୍ରଙ୍କ ପରିବାର ସଦସ୍ୟ ଏକ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ କରାଇଥିଲେ।

ସମ୍ବନ୍ଧିତ ଖବର