ଗୁଜୁରାଟରେ ଝୁଲା ପୋଲ ଭୁଶୁଡ଼ି ୬୦ ମୃତ: ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଗୁରୁତରଙ୍କୁ ୫୦ ହଜାର ସହାୟତା ଘୋଷଣା

ନୂଆଦିଲ୍ଲୀ: ଗୁଜରାଟର ମୋର୍ବି ଜିଲ୍ଲାରେ ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଷୁଡ଼ି ଯିବାରୁ ୬୦ ଜଣଙ୍କ ଜୀବନ ଯାଇଛି। ଏହି ବ୍ରିଜଟି ୫ ଦିନ ତଳେ ପୁନଃ ମରାମତି କରାଯାଇଥିଲା। ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି ଯେ, ୭୦ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସ୍ଥାନୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ମୃତ ଓ ଗୁରୁତରଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଉକ୍ତ କେବଲ ବ୍ରିଜରେ ସନ୍ଧ୍ୟାରେ ଅନେକ ଲୋକ ଯାତାୟାତ କରୁଥିଲେ। ହଠାତ୍‌ ବ୍ରିଜଟି ଭୁଷୁଡି ପଡ଼ିବା ଦ୍ବାରା ଅନେକ ଲୋକ ନଦୀ ଭିତରକୁ ଖସି ପଡ଼ିଥିଲେ। ଏହା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁଜୁରାଟ ସରକାର ମୃତ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ଓ ଗୁରୁତର ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଉକ୍ତ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ସେଠାକାର ମୁଖ୍ୟମନ୍ତ୍ରୀ ଭୁପିନ୍ଦର ପଟେଲଙ୍କୁ ପରିସ୍ଥିତି ଉପରେ ନଜର ରଖିବା ସହିତ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

india today

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟୁଇଟ କରି ଜଣାଇଛନ୍ତି ଯେ, ସେଠାକାର ଗୃହ ମନ୍ତ୍ରୀ ଓ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲ ଟୁଇଟ କରି ଜଣାଇଛନ୍ତି ଯେ, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇ ଏସଡିଆରଏଫ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି। ଏହି ଘଟଣାରେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ମୃତବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର