ମୁମ୍ବାଇ: ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ାରେ ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପୋଲ ଆଜି ଅପରାହ୍ଣରେ ଭୁଶୁଡ଼ି ପଡ଼ିଛି। ପୋଲ ଉପରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଭାସିଯାଇଥିବା ଆଶଙ୍କା କରାଯାଉଛି। ଅପରାହ୍ଣ ପ୍ରାୟ ୩ଟା ୪୦ରେ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ତଳେ ଥିବା ପଥର ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ ଏବଂ ଅଧିକାଂଶ ଲୋକ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇଥିଲେ। ଦୁର୍ଘଟଣା ସମୟରେ ପୋଲ ଉପରେ ୧୨୫ ଜଣ ପର୍ଯ୍ୟଟକ ଥିଲେ ଏବଂ ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏନ୍ଡିଆର୍ଏଫ୍ କହିଛି ଯେ ୩୮ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୬ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏନ୍ଡିଆର୍ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅନେକ ଲୋକ ନଦୀରେ ଭାସି ଯାଇଥିବାରୁ ମୃତ୍ୟୁସଂଖ୍ୟା ଏବେ ଆକଳନ କରିହେବ ନାହିଁ। ତେବେ ଏହି ଦୁର୍ଘଟଣାରେ ଅତି କମ୍ରେ ୨୫ ଜଣ ଭାସି ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତାଲେଗାଓଁ ଡାଭାଡେ ସହର ନିକଟରେ ଥିବା ଏହି ନଦୀ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ଛୁଟିଦିନରେ ବହୁ ସଂଖ୍ୟକ ଲୋକ ଏଠାକୁ ଆସନ୍ତି। ରବିବାର ହୋଇଥିବାରୁ ଏଠାରେ ଅଧିକ ଭିଡ଼ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଇନ୍ଦ୍ରାୟଣୀ ନଦୀର ଜଳପ୍ରବାହ ଦ୍ରୁତ ରହିଛି। ଅନେକ ପର୍ଯ୍ୟଟକ ନଦୀର ପ୍ରଖର ସ୍ରୋତରେ ପଡ଼ିଯିବାରୁ ଭାସିଯାଇଥିଲେ। ସୂଚନାଯୋଗ୍ୟ, ଚାଲି ଚାଲି କିମ୍ବା ବାଇକ୍ ଯୋଗେ ନଦୀ ପାର ହେବା ପାଇଁ ଏହି ପୋଲ ନିର୍ମାଣ କରାଯାଇଥିଲା। ବହୁ ଦିନରୁ ପୋଲ ଅବସ୍ଥା ଖରାପ ଥିବା ବେଳେ ଏ ନେଇ ପୂର୍ବରୁ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା। ଏହା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।