ନୂଆଦିଲ୍ଲୀ: ମୁମ୍ବାଇର ଏଲ୍୍୍ଫିନ୍ଷ୍ଟୋନ୍ ବ୍ରିଜ୍ ଦୁର୍ଘଟଣାକୁ ନେଇ ଚାଲିଥିବା ରାଜନୀତି ଥମିବାର ନାମ ନେଉନାହିଁ। ଏଲ୍ଫିନ୍ଷ୍ଟୋନ୍ ଷ୍ଟେସନରେ ରେଳବାଇ ବ୍ରିଜ୍ ଭୁଶୁଡ଼ି ୨୩ ଜଣଙ୍କ ମୃତ୍ୟୁ ଘଟିବା ପରେ ଏହି ପୋଲ୍୍ର ନିର୍ମାଣ କାର୍ଯ୍ୟ ଭାରତୀୟ ସେନାକୁ ଦେବାପାଇଁ ସରକାର ଘୋଷଣା କରିଥିଲେ। ଆଜି ପ୍ରତିରକ୍ଷାମନ୍ତ୍ରୀ ବରିଷ୍ଠ ସେନା ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ବିରୋଧୀଦଳଗୁଡ଼ିକ ଏହାର ଜୋର୍୍ଦାର ପ୍ରତିବାଦ କରିଛନ୍ତି। ଏହି ପୋଲ୍କୁ ଯଥାଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇ ଏ ବାବଦରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଏହାପରେ ପ୍ରତିରକ୍ଷା ମନ୍ତ୍ରାଳୟ ପୋଲ୍କୁ ସେନା ଦ୍ୱାରା ନିର୍ମାଣ କରିବା ନିମନ୍ତେ ଅନୁମୋଦନ କରିଥିଲେ। ଆଜି ବରିଷ୍ଠ ସେନା ଅଧିକାରୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରାମଣ ଏଲ୍୍ଫିନଷ୍ଟୋନ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଳେ।
ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ପରେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଟ୍ଵିଟ୍ କରି କହିଛନ୍ତି ଯେ ସେନାର କାମ ଯୁଦ୍ଧ ପାଇଁ ନିଜକୁ ତୟାର ରଖିବା, ବେସାମରିକ କାର୍ଯ୍ୟରେ ସେନାର ଶକ୍ତିକୁ ଉପଯୋଗ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଭୁଲ୍ ପରମ୍ପରା ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏନ୍୍ସିପି ଏବଂ ଶିବସେନା ମଧ୍ୟ ମଧ୍ୟ ସେନା ଦ୍ୱାରା ପୋଲ୍ ନିର୍ମାଣକୁ ବିରୋଧ କରାଯାଇଛି । କଂଗ୍ରେସର ସ୍ୱର ସହିତ ତାଳ ମିଳାଇ ଶିବସେନା ପ୍ରବକ୍ତା ଅରବିନ୍ଦ ସାଓ୍ଵନ୍ତ କହିଛନ୍ତି ଯେ ବିଜେପି ସରକାର ନିଜର ଅକ୍ଷମତା ଯୋଗୁଁ ଏହି ପୋଲ୍ ନିର୍ମାଣ କରିପାରୁ ନାହାନ୍ତି ଏବଂ ସେନାର ସହାୟତା ନେଇଛନ୍ତି। ଏନ୍ସିପି ପ୍ରବକ୍ତା ନବାବ ମଲ୍ଲିକ କହିଛନ୍ତି ଯେ ସରକାର ନିଜ ଅପରଗତାର ପ୍ରମାଣ ଦେଇ ସେନାର ସହାୟତା ଲୋଡ଼ିଛନ୍ତି।
ଏଭଳି ପୋଲ୍ ନିର୍ମାଣ କରିବା କ୍ଷମତା ରାଜ୍ୟ ସରକାରଙ୍କ ପାଖରେ କାହିଁକି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ଅତି ଜରୁରି ପରିସ୍ଥିତିରେ ସେନାକୁ ଉପଯୋଗ କରାଯିବା ପରିବର୍ତ୍ତେ ସରକାର ମନଇଛା ସେନାର ବ୍ୟବହାର କରୁଛନ୍ତି। ଗତ ମାସରେ ଏହି ବ୍ରିଜ୍ ଦୁର୍ଘଟଣା ରେଳବାଇର ଅପାରଗତାକୁ ପଦାରେ ପକାଇ ଦେଇଥିବା ବେଳେ ଏବଂ ରାଜ୍ୟ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପୋଲକୁ ଯଥାଶୀଘ୍ର ନିର୍ମାଣ କରିବା ପାଇଁ ସେନାର ସହାୟତା ଲୋଡ଼ାଯିବା ପରେ ସେନା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ମାର୍ଚ୍ଚ ୨୦୧୮ ସୁଦ୍ଧା ଏହାକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।