ନୂଆଦିଲ୍ଳୀ: ଦେଶରେ ପ୍ରବଳ ଗରମ ପ୍ରଭାବରେ ଲୋକେ ହସ୍ତସନ୍ତ ହେଉଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଉତ୍ତାପର ତୀବ୍ରତା ଆସନ୍ତା ତିନି ଦିନ ମଧ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି।
ରବିବାର ପୂର୍ବ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ୩-୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି। ସେହିପରି ଓଡ଼ିଶା, ବିଦର୍ଭ ଏବଂ ପଞ୍ଜାବର କିଛି ଅଂଶରେ ୨-୩ ଡିଗ୍ରି ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପୂର୍ବ ରାଜସ୍ଥାନ ଆଦି ଅଞ୍ଚଳରେ ୧-୨ ଡିଗ୍ରି ତାପମାତ୍ରା କମିଛି।
ସାମାନ୍ୟ ହ୍ରାସ ସତ୍ତ୍ୱେ ଉତ୍ତର ରାଜସ୍ଥାନ, ଦକ୍ଷିଣ ହରିଆଣା, ଉତ୍ତର ମଧ୍ୟପ୍ରଦେଶ ଏବଂ ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୩-୪୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା ଏବଂ ପଞ୍ଜାବର ଅନେକ ଅଞ୍ଚଳ, ହରିଆଣାର କିଛି ଅଂଶ, ଦିଲ୍ଲୀ, ଦକ୍ଷିଣ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଛତିଶଗଡ, ବିଦର୍ଭ, ତେଲେଙ୍ଗାନା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ଅଂଶରେ ୪୧-୪୩ ଡିଗ୍ରି ସେଲସିୟସ ରହିଥିଲା।
ପାଣିପାଗ ବିଭାଗ ଜୁନ୍ ୩ ଏବଂ ଜୁନ୍ ୪ରେ ଜାତୀୟ ରାଜଧାନୀରେ ବର୍ଷା ସହିତ ବଜ୍ରପାତ ହେବାର ପୂର୍ବାନୁମାନ କରିଛି। ଉଭୟ ଦିନରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୫ ଡିଗ୍ରୀ ସେଲସିୟସ୍ ଏବଂ ୩୦ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି। ପଡୋଶୀ ରାଜସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବ ବୋଲି ଆକଳନ କରାଯାଇଛି।