ମୁଁ ନାର୍କୋ ଟେଷ୍ଟ ଦେବାକୁ ପ୍ରସ୍ତୁତ କିନ୍ତୁ ଭିନେଶ…. କିଛି ଏଭଳି କହିଲେ ବ୍ରିଜଭୂଷଣ ଶରଣ ସିଂହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋଣ୍ଡାରୁ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ବ୍ରିଜଭୂଷଣ ଶରଣ ସିଂହ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କର ନାର୍କୋ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ କିମ୍ବା ଲାଇ ଡିଟେକ୍ଟର ଟେଷ୍ଟ ଦେବାକୁ ପ୍ରସ୍ତୁତ, କିନ୍ତୁ ସର୍ତ୍ତ ହେଉଛି ଯେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ମଧ୍ୟ ଏହି ଟେଷ୍ଟ ଦେବାକୁ ପଡିବ | ବ୍ରିଜଭୂଷଣ ଶରଣ ସିଂହ କହିଛନ୍ତି ଯେ,’ଯଦି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ନିଜର ଟେଷ୍ଟ କରାଇବାକୁ ରାଜି ଅଛନ୍ତି ଓ ସାମ୍ବାଦିକ ସମ୍ମିଳନୀ କରି ଏବାବଦରେ ଘୋଷଣା କରନ୍ତି, ତେବେ ମୁଁ ସେମାନଙ୍କୁ ପ୍ରତିଶୃତି ଦେଉଛି ଯେ ମୁଁ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛି’।

ବ୍ରିଜ ଭୂଷଣ ଶରଣ ସିଂହ ତାଙ୍କ ଅଫିସିଆଲ ଫେସବୁକ ପେଜରେ ପୋଷ୍ଟ କରି ଏହି ଦାବି କରିଛନ୍ତି। ସୂଚନାଯୋଗ୍ୟ, ଲଗାତାର ୨୯ ଦିନ ଧରି ଏହି କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଚଳାଇଆସୁଛନ୍ତି | ବିଜେପି ଷ୍ଟ୍ରଙ୍ଗମ୍ୟାନ୍ ତଥା ୬ ଥର ସାଂସଦ ବ୍ରିଜଭୂଷଣଙ୍କ ନାମରେ ଜଣେ ନାବାଳିକାଙ୍କ ସହ ୭ ଜଣ କୁସ୍ତିଯୋଦ୍ଧା‌ ଯୌନ ନିର୍ଯାତନା ଅଭିଯୋଗ ଆଣି ଜନ୍ତରମନ୍ତରରେ ଏହି ଆନ୍ଦୋଳନ ଚଳାଇଛନ୍ତି। ଅଲିମ୍ପିଆନ୍‌ ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକଙ୍କ ସହ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଏହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି | କୁସ୍ତିଯୋଦ୍ଧାମାନଙ୍କ ଅଭିଯୋଗ କ୍ରମେ ବିଜେପି ସାଂସଦଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର