ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ଦେବା ତଥା ସେମାନଙ୍କ ପଛରେ ପଡ଼ିବା ଅଭିଯୋଗର ସମ୍ମୁଖୀନ ହେବେ ବୋଲି ଏହା ଉପରେ ଏକ ୧୦୦୦ ପୃଷ୍ଠାର ରିପୋର୍ଟ ଦାଖଲ କରି ଦିଲ୍ଲୀ ପୋଲିସ ଆଜି କହିଛି। ବ୍ରିଜ ଭୂଷଣ ଶରଣ ସିଂହ ଜଣେ ମହିଳାଙ୍କୁ ଯୌନକାର୍ଯ୍ୟ ପାଇଁ ବାଧ୍ୟ କରିବା ଭଳି ଅଭିଯୋଗର ମଧ୍ୟ ସମ୍ମୁଖୀନ ହେବେ, ଯାହା ଜାମିନବିହୀନ। ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଏବଂ ମହିଳାଙ୍କ ପଛରେ ପଡ଼ିବା ଭଳି ଅଭିଯୋଗ ମଧ୍ୟ ରହିଛି ଯାହା ଜାମିନଯୋଗ୍ୟ ଅପରାଧ।

Advertisment

ତେବେ ଦିଲ୍ଲୀ ପୋଲିସ ଅନ୍ୟ ଏକ ରିପୋର୍ଟରେ କୁସ୍ତିଯୋଦ୍ଧାଙ୍କ ଦ୍ବାରା ଦାଖଲ ହୋଇଥିବା ନବାଳିକା ଯୌନ ଉତ୍ପୀଡ଼ନ ମାମଲାକୁ ବାତିଲ କରିବାକୁ ନିବେଦନ କରିଛନ୍ତି। ଜଣେ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନର ଶିକାର ହେବା ସମୟରେ ନାବାଳିକା ଥିବା ଦାବି କରିଥିଲେ। ତେବେ ଏ ନେଇ କୌଣସି ପ୍ରମାଣ ମିଳିନଥିବାରୁ ପୁଲିସ ବ୍ରିଜଭୂଷଣଙ୍କ ବିରୋଧରେ ଅତି କଠୋର ପୋକ୍‌ସୋ ଆଇନ ଲାଗୁ କରିପାରିବ ନାହିଁ ବୋଲି ଦର୍ଶାଇଛି। ଅଭିଯୋଗକାରୀ ଓ ତାଙ୍କ ପିତାଙ୍କ ବିବୃତି ଆଧାରରେ ସେମାନେ ପୋକ୍‌ସୋ ଆଇନ ଅଧୀନରେ ପଡ଼ୁଥିବା ଉକ୍ତ ମାମଲା ବାତିଲ କରିବାକୁ ଧାରା ୧୭୩ ଅନୁଯାୟୀ ରିପୋର୍ଟରେ ପ୍ରସ୍ତାବ ଦେଇଛନ୍ତି। ଜୁଲାଇ ୪ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଏପ୍ରିଲ୍ ୨୧ରେ ସାତଜଣ ମହିଳା କୁସ୍ତିଯୋଦ୍ଧା, ସେମାନଙ୍କ ମଧ୍ୟରୁ ଜଣେ ନାବାଳିକା ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ତଥା ଅନ୍ୟାନ୍ୟ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ଜାତୀୟ ରାଜଧାନୀରେ କୁସ୍ତିଯୋଦ୍ଧାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଗତ ସପ୍ତାହରେ ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କୁ ଏକ ବୈଠକରେ ଆଶ୍ୱାସନା ଦେଇଥିଲେ ଯେ ଜୁନ୍ ୧୫ ସୁଦ୍ଧା ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯିବ। ଏହାପରେ କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ସ୍ଥଗିତ ରଖିଥିଲେ।

ବ୍ରିଜଭୂଷଣଙ୍କ ସହ ଜଡିତ ଯୌନ ଉତ୍ପୀଡ଼ନ ଘଟଣା ସମ୍ପର୍କରେ ପାଞ୍ଚଟି ଦେଶର ରେସଲିଂ ଫେଡେରେସନରୁ ଦିଲ୍ଲୀ ପୋଲିସ ସୂଚନା ମାଗିଥିଲା। ଅନୁସନ୍ଧାନକାରୀ ଦଳ ଟୁର୍ଣ୍ଣାମେଣ୍ଟରୁ ଏବଂ କୁସ୍ତିଯୋଦ୍ଧାମାନେ ମ୍ୟାଚ୍ ସମୟରେ ରହିଥିବା ସ୍ଥାନରୁ ଫଟୋ, ଭିଡିଓ ଏବଂ ସିସିଟିଭି ଫୁଟେଜ୍ ମାଗିଥିଲେ। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ୧୮୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରି ସିଂହଙ୍କ ବିରୋଧରେ ଦୁଇଟି ଏଫ୍‌ଆଇଆର ଦାଖଲ କରିଥିଲେ। ଶୁକ୍ରବାର ଦିଲ୍ଲୀ ପୁଲିସ ଜଣେ ମହିଳା କୁସ୍ତିଯୋଦ୍ଧାଙ୍କୁ ସିଂହଙ୍କ କାର୍ଯ୍ୟାଳୟକୁ ନେଇଥିଲା। ସେମାନଙ୍କ ସହ ମହିଳା ପୁଲିସ କର୍ମଚାରୀଙ୍କ ଏକ ଟିମ୍ ମଧ୍ୟ ଥିଲେ। ସିଂହ କିପରି ନିର୍ଯାତନା ଦେଇଥିଲେ ତାହା ଦେଖାଇ ଦେବାକୁ ମହିଳା କୁସ୍ତିଯୋଦ୍ଧାଙ୍କୁ କୁହାଯାଇଥିଲା। ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନେ ଜଣେ ମହିଳାଙ୍କ ନେତୃତ୍ୱରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିବାକୁ ଡବ୍ଲୁଏଫ୍ଆଇକୁ ଅନୁରୋଧ କରିଛନ୍ତି। ଆଗାମୀ କୁସ୍ତିଯୋଦ୍ଧା ସଂଘ ନିର୍ବାଚନରେ ​​ ସିଂହ ଏବଂ ତାଙ୍କ ସହଯୋଗୀମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦିଆ ନ ଯିବା ପାଇଁ ମଧ୍ୟ ସରକାର ରାଜି ହୋଇଛନ୍ତି।