ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ପରି ଜଘନ୍ୟ ଅପରାଧରେ ସଂପୃକ୍ତ ଥାଇ ଅଦାଲତଙ୍କ ଦ୍ୱାରା ଫାଶୀଦଣ୍ଡରେ ଦଣ୍ଡିତ ହେଉଥିବା ଅପରାଧୀଙ୍କ ପାଇଁ ରହିଥିବା ‘ରାଜକ୍ଷମା ଆବେଦନ’ ଓ ୧୪ ଦିନର ମହଲତ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ରଦ୍ଦ କରନ୍ତୁ ବୋଲି ଦାବୀ କରିଛନ୍ତି ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂହ। ନିର୍ଭୟା ଦୁଷ୍କର୍ମକାରୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ଏକ ଅଦାଲତ ଦ୍ୱିତୀୟ ଥର ପାଇଁ ମୃତ୍ୟୁ ପରଓ୍ଵାନା ଜାରି କରିବା ପରେ ଏପରି ଦାବୀ କରିଛନ୍ତି ନିର୍ଭୟାଙ୍କ ବାପା ବଦ୍ରିନାଥ।

Advertisment

‘ସ୍ୱୟଂ ରାଷ୍ଟ୍ରପତି ନିଜେ ବି କହିଛନ୍ତି ଯେ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ପାଇଁ ସୁଯୋଗ ଦିଆ ନ ଯାଉ। ଯଦି ପ୍ରକୃତରେ ରାଷ୍ଟ୍ରପତି ଏପରି ଚାହୁଁଥାନ୍ତି, ତେବେ କେନ୍ଦ୍ର ସରକାର ତୁରନ୍ତ ଏକ ଅଧ୍ୟାଦେଶ ଆଣି ଏ ବ୍ୟବସ୍ଥାର ବିଲୋପ କରନ୍ତୁ’, ବୋଲି ଜାତୀୟ ସ୍ତରର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂହ।

publive-image NDTV

ଜଘନ୍ୟରୁ ଜଘନ୍ୟତମ ଅପରାଧରେ ସଂପୃକ୍ତ ଥାଇ ଅଦାଲତଙ୍କ ଦ୍ୱାରା ଫାଶୀଦଣ୍ଡରେ ଦଣ୍ଡିତ ହେଉଥିବା ଅପରାଧୀମାନେ ଫାଶୀରୁ ବଞ୍ଚିବା ପାଇଁ ଆଇନ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ଗଳାବାଟର ସୁଯୋଗ ନେଇ ଦଣ୍ଡବିଧାନର କାର୍ଯ୍ୟକାରୀତାକୁ ବିଳମ୍ବିତ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ତେଣୁ, ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ଅପରାଧର ମାତ୍ରାକୁ କମାଇବା ପାଇଁ ଯଦି ସରକାର ଆନ୍ତରିକତାର ସହ ଚାହୁଁଥାନ୍ତି, ତେବେ ସର୍ବ ପ୍ରଥମେ ଦୁଷ୍କର୍ମ ଓ ହତ୍ୟା ପରି ଜଘନ୍ୟ ଅପରାଧରେ ସଂପୃକ୍ତ ଥାଇ ଅଦାଲତଙ୍କ ଦ୍ୱାରା ଫାଶୀଦଣ୍ଡରେ ଦଣ୍ଡିତ ହେଉଥିବା ଅପରାଧୀଙ୍କ ପାଇଁ ରହିଥିବା ‘ରାଜକ୍ଷମା ଆବେଦନ’ ଓ ୧୪ ଦିନର ମହଲତ ବ୍ୟବସ୍ଥାକୁ ଅଧ୍ୟାଦେଶ ଆଣି ରଦ୍ଦ କରନ୍ତୁ ବୋଲି ଦାବୀ କରିଛନ୍ତି ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂହ।