ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି କି କେହି ନିଜ ତରଫରୁ ଜନ୍ମ କରାଇଥିବା ଡାକ୍ତରଙ୍କ ଉପରେ ମାମଲା ଦାଖଲ କରିପାରେ । ହଁ ଏହା ହିଁ ସତ୍ୟ । ବ୍ରିଟେନର ଜଣେ ୨୦ ବର୍ଷିୟା ଯୁବତୀ ଏଭଳି କରିଛନ୍ତି । ଯୁବତୀଜଣଙ୍କ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କ ଉପରେ ମାମଲା ଦାଖଲ କରିଥିଲେ । ଯୁବତୀଜଣଙ୍କ ଦାବି କରିଥିଲେ ଯେ, ତାଙ୍କୁ ଜନ୍ମ କରାଇବାର ନଥିଲା । ଡାକ୍ତର ଚାହିଁଥିଲେ ତାଙ୍କ ଜନ୍ମକୁ ରୋକିପାରିଥାନ୍ତେ । ଏନେଇ ଯୁବତୀଜଣଙ୍କ କୋର୍ଟରେ ମାମଲା ଦାଖଲ କରିଥିବା ବେଳେ କୋର୍ଟ ବି ଯୁବତୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । କୋର୍ଟ ତାଙ୍କ ରାୟରେ ଯୁବତୀକୁ ଜନ୍ମ କରାଇଥିବା ଡାକ୍ତରଙ୍କ ଉପରେ ଭାରତୀୟ ମୁଦ୍ରାରେ ୧ କୋଟି ଟଙ୍କା ଜରିମାନା ଲଗାଇଥିଲେ । ଏହି ଟଙ୍କା ଦିବ୍ୟାଙ୍ଗ ଯୁବତୀର ସହାୟତା ପାଇଁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
‘ଦ ସନ’ର ରିପୋର୍ଟ ମୁତାବକ ଶୋଜମ୍ପର ଏଭି ଟମ୍ବସ ନାମକ ଜଣେ ଦିବ୍ୟାଙ୍ଗ ଯୁବତୀ ତାଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କ ନାମରେ ମାମଲା ରୁଜୁ କରିଥିଲେ । ସେ କହିଥିଲେ ଯେ, ତାଙ୍କ ମାଙ୍କୁ ଡାକ୍ତର ଉଚିତ ପରାମର୍ଶ ନଦେବାରୁ ସେ ବିକଳାଙ୍ଗ ହୋଇ ଜନ୍ମ ହୋଇଛନ୍ତି । ଏନେଇ ତାଙ୍କୁ ଜନ୍ମ କରାଇଥିବା ଡାକ୍ତର ଫିଲିପ ମିଶେଲଙ୍କୁ ଶୋଜମ୍ପର କୋର୍ଟକୁ ନେଇଥିଲେ । ସେ ଅଭିଯୋଗ କରିଥିଲେ କି ସେ ତାଙ୍କ ମା’ଙ୍କ ଗର୍ଭରେ ଥିବା ବେଳେ ତାଙ୍କ ମାଙ୍କୁ ଡାକ୍ତର ସଠିକ ପରାମର୍ଶ ଦେଇ ନଥିଲେ ।
ରିପୋର୍ଟ ମୁତାବକ ଏହି ମାମଲାର ଶୁଣାଣି କରି ଜଜ୍ ରେସଲିଣ୍ଡ କୋଏ କ୍ୟୁସି ବୁଧବାର ଦିନ ଲଣ୍ଡନ ହାଇକୋର୍ଟରେ ଐତିହାସିକ ରାୟ ଶୁଣାଇଥିଲେ । ବିଚାରପତି ଏଭିଙ୍କ ସମର୍ଥନରେ ରାୟ ଶୁଣାଇ କହିଥିଲେ କି ଯଦି ଡାକ୍ତର ଏଭିଙ୍କ ମା’ଙ୍କୁ ସଠିକ ପରାମର୍ଶ ଦେଇଥାନ୍ତେ ତେବେ ଏଭି ବିକଳାଙ୍ଗ ହୋଇ ଜନ୍ମ ହୋଇନଥାନ୍ତେ। ଏନେଇ ସେ ଏଭିଙ୍କୁ ୧ କୋଟି ଟଙ୍କାର ସହାୟତା ଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପଟେ ଏଭିଙ୍କ ମା’ ବି ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ କି ଯଦି ତୁମେ ଭଲ ଖାଦ୍ୟ ଖାଉଛ ତେବେ ଫଲିକ ଏସିଡ ନେବା ଦରକାର ପଡିବ ନାହିଁ । ଡାକ୍ତରଙ୍କ ଏହି ପରାମର୍ଶ ପାଇଁ ଫଲିକ ଏସିଡ ନେବା ସେ ବନ୍ଦ କରିଦେଇଥିଲେ। ଏହା ଫଳରେ ତାଙ୍କ ଗର୍ଭରେ ଥିବା ପିଲାଟିର ମେରୁଦଣ୍ଡ ଅଚଳ ହୋଇଯାଇଥିଲା ।