ଆମେରିକା ପରେ ବ୍ରିଟେନ୍‌ ସ୍ଥିତି ଭୟାନକ, ବିଶ୍ବବ୍ୟାପୀ ୬୦ ହଜାର ମୃତ

ଇଟାଲି, ସ୍ପେନ୍‌, ଫ୍ରାନ୍ସରେ ସଂଘର୍ଷ ଜାରି, ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୨୦ ହଜାରରେ ପହଞ୍ଚିଲା

ୱାସିଂଟନ: ୟୁରୋପ ଏବଂ ଆମେରିକାରେ କରୋନା ଭାଇରସ୍‌ର ମହାପ୍ରକୋପ ଜାରି ରହିଛି। ବ୍ରିଟେନ୍‌ରେ ଅଚାନକ ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ୨୪ ପ୍ରତିଶତ ବଢ଼ିବାରୁ ଏହା ଚୀନ୍‌କୁ ବି ଟପିଯାଇଛି। ବ୍ରିଟେନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଛୁଇଁବାକୁ ଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬୦୫ରେ ପହଞ୍ଚିଯାଇଛି। ବିଶ୍ବବ୍ୟାପୀ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ଆଜି ୬୦ ହଜାର ଅତିକ୍ରମ କରିଯାଇଛି। ଆମେରିକାରେ କରୋନା ଭୟାନକ ସ୍ଥିତି ସୃଷ୍ଟି କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୦ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ମୃତ୍ୟୁ ସଂଖ୍ୟା ୭୫୦୦ ଛୁଇଁଥିବା ବେଳେ ହଜାର ହଜାର ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୦ ହଜାରରେ ପହଞ୍ଚିଥିବାରୁ ଏହି ସଙ୍କଟର ମୁକାବିଲା କରିବା ଆମେରିକା ପାଇଁ ଅତୀବ କଷ୍ଟକର ହୋଇପଡ଼ିଛି। ସ୍ପେନ୍‌ରେ ୨୪ ଘଣ୍ଟାରେ ୭୦୦ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଠାରେ ୧ ଲକ୍ଷ ୨୦ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି। ୟୁରୋପର ୧୧ଟି ରାଷ୍ଟ୍ରରେ ପରିସ୍ଥିତି ଅତି ସାଂଘାତିକ ରୂପ ନେଇଛି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକର କରୋନା ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ଫଳପ୍ରଦ ହେଉନାହିଁ।

ଇଟାଲିରେ ପ୍ରାୟ ୧୫ ହଜାର ମୃତ୍ୟୁ ଯୋଗୁଁ ହାହାକାର ସୃଷ୍ଟି ହୋଇଛି। ୫ ଲକ୍ଷରୁ ଅଧିକ ଲୋକ କ୍ବାରାଣ୍ଟିନ୍‌ରେ ଅଛନ୍ତି। ଆମେରିକାରେ ଗତକାଲି ୨୭ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ନ୍ୟୁୟର୍କରେ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ହୋଟେଲ, ସମ୍ମିଳନୀ କକ୍ଷ ଏବଂ ନୌସେନା ଜାହଜକୁ ହସ୍ପିଟାଲରେ ପରିଣତ କରାଯାଇଛି। ହଜାର ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦ୍‌ବେଜନକ ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଯୁଦ୍ଧସ୍ତରରେ ପ୍ରୟାସ କରୁଛି। ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଛୁଇଁଛି ଏବଂ ମୃତ୍ୟୁ ସଂଖ୍ୟା ୬ ହଜାର ୫୦୦ ଅତିକ୍ରମ କରିଯାଇଛି । ଇରାନ୍‌ରେ ମଧ୍ୟ ମୃତ୍ୟୁ ସଂଖ୍ୟା ୩୨୦୦ରେ ପହଞ୍ଚିଛି। ଏବଂ ୫୦ରୁ ଅଧିକ ପ୍ରମୁଖ ରାଷ୍ଟ୍ରରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପାଉଥିବାରୁ ଏହି ବୈଶ୍ବିକ ମହାମାରୀ ଆଗକୁ ପ୍ରଳୟଙ୍କରୀ ସ୍ଥିତି ସୃଷ୍ଟି କରିବା ଆଶଙ୍କା ଦେଖାଦେଲାଣି। ଏପରିକି ଆଫ୍ରିକୀୟ ରାଷ୍ଟ୍ରରେ ମଧ୍ୟ ୟୁରୋପ୍‌ ଭଳି ସ୍ଥିତି ସୃଷ୍ଟି ହେବ ବୋଲି ଅନେକ ଆଶଙ୍କା କରାଯାଉଛି। ସମସ୍ତ ବିକଶିତ ରାଷ୍ଟ୍ର ଏବେ କରୋନା ବିରୋଧରେ ସଂଘର୍ଷ ଜାରି ରଖିଛନ୍ତି। ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକାରେ ଉପୁଜିଥିବା ପରିସ୍ଥିତି ଆଗକୁ ପୂରା ବିଶ୍ବ ପାଇଁ ବଡ଼ ସଙ୍କଟର ସୂଚନା ଦେଉଛି।

ସମ୍ବନ୍ଧିତ ଖବର