ନୂଆଦିଲ୍ଲୀ : ବ୍ରିଟେନ ଯିବାକୁ ଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୁଇ ଡୋଜ୍ ଟିକା ନେଇଥିଲେ ଭାରତୀୟମାନଙ୍କୁ ଆଉ ୧୦ ଦିନ କ୍ବାରାଣ୍ଟିନରେ ରହିବା ବାଧ୍ୟତାମୂଳକ ହେବନାହିଁ। ଉକ୍ତ ନିୟମକୁ ବ୍ରିଟେନ ଆସନ୍ତା ୧୧ ତାରିଖରୁ ଉଠାଇ ନେବ। କୋଭିସିଲ୍‌ଡ କିମ୍ବା ବ୍ରିଟେନ ଦ୍ବାରା ମଞ୍ଜୁରପ୍ରାପ୍ତ ଟିକା ନେଇଥିଲେ ଭାରତୀୟମାନଙ୍କୁ ଆଉ କ୍ବାରାଣ୍ଟିନରେ ରହିବାକୁ ପଡ଼ିବ ନାହିଁ। ଭାରତରେ ଅବସ୍ଥାପିତ ବ୍ରିଟେନର ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ ଏହି ସୂଚନା ଟ୍ବିଟର ମାଧ୍ୟମରେ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଭାରତ ସରକାର ବ୍ରିଟେନକୁ ଉକ୍ତ ପାତରଅନ୍ତରମୂଳକ ନୀତିକୁ କାର୍ଯ୍ୟକାରୀ ନକରିବା ପାଇଁ ପୂର୍ବରୁବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ବ୍ରିଟେନ ଏହାକୁ କାର୍ଯ୍ୟକାରୀ କରି ନଥିଲା। ଶେଷରେ ଭାରତ ବାଧ୍ୟ ହୋଇ ଯେସାକୁ ତେସା ନୀତି ଅବଲମ୍ବନ କରିଥିଲା। ବ୍ରିଟେନ ଯାତ୍ରୀଙ୍କ ପାଇଁ କ୍ବାରାଣ୍ଟିନ ନିୟମ ଲାଗୁ‌ ହେବ ବୋଲି କହିଥିଲା। ରାଜ୍ୟଗୋଷ୍ଠୀ ହକିରୁ ମଧ୍ୟ ଭାରତୀୟ ଟିମ୍ ‌ଓହରି ଯିବାକୁ ଘୋଷଣା କରିଥିଲା। ଏହାପରେ ବ୍ରିଟେନ ଏହାର ନୀତିକୁ କୋହଳ କରିଛି।