ସୁନକଙ୍କ ଭାଙ୍ଗିଯିବ କି ପ୍ରଧାନମନ୍ତ୍ରୀ ସ୍ବପ୍ନ? ସର୍ଭେରେ ଲିଜ୍ ଟ୍ରସଙ୍କୁ ଅଧିକ ଭୋଟ ମିଳିବା ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: କିଏ ହେବ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଥିବା ବେଳେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବଂ ତାଙ୍କ ବିରୋଧୀ ପ୍ରାର୍ଥୀ ଲିଜ ଟ୍ରସଙ୍କ ମଧ୍ୟରେ ଏବେ ପ୍ରତିଯୋଗିତା ତୀବ୍ର ହୋଇଛି। ପ୍ରଥମେ ସୁନକଙ୍କୁ ତାଙ୍କ କନଜରଭେଟିଭ ପାର୍ଟିର ୧୩୭ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ଲିଜ୍ ଟ୍ରସ କେବଳ ୧୧୩ଜଣ ସାଂସଦଙ୍କ ସମର୍ଥନ ହାସଲ କରିବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ କନଜରଭେଟିଭ ପାର୍ଟିର ପ୍ରାୟ ୨ ଲକ୍ଷ ସ୍ଥାୟୀ ସଦସ୍ୟ ଫାଇନାଲ ରାଉଣ୍ଡ ପାଇଁ ଭୋଟ୍ ଦେବେ। ଏହା ପରେ ଯାଇ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହେବ।

ଦଳର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ୯୬ପ୍ରତିଶତ ସଦସ୍ୟ ବ୍ରିଟେନର ମୂଳ ବାସିନ୍ଦା। ତେବେ କନଜରଭେଟିଭ ପାର୍ଟିର ନିକଟରେ ହୋଇଥିବା ୟୁଗଭ୍ ସର୍ଭେରେ ଟ୍ରସ୍ ସୁନକଙ୍କଠାରୁ ୨୮ପ୍ରତିଶତ ଭୋଟରେ ଆଗରେ ଥିଲେ। ଟ୍ରସଙ୍କୁ ୫୮ପ୍ରତିଶତ ଭୋଟ ମିଳିଥିବାବେଳେ ସୁନକଙ୍କୁ ମାତ୍ର ୩୦ପ୍ରତିଶତ ଭୋଟ୍ ମିଳିଥିଲା। ଦଳର ସ୍ଥାୟୀ ସଦସ୍ୟଙ୍କ ସମର୍ଥନ ପରେ ଟ୍ରସ ଆଗରେ ରହିଥିବା ବେଳେ ସୁନକ ପଛରେ ପଡିଯାଇଥିଲେ। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ସମୟରେ ହୋଇଥିବା ସର୍ଭେ ରିପୋର୍ଟ ସତ ହେବ। ଅନ୍ୟ ଏକ ସର୍ବେକ୍ଷଣ ଅନୁଯାୟୀ, ଦଳର ପ୍ରତି ୧୦ଜଣ ସଦସ୍ୟଙ୍କ ମଧ୍ୟରୁ ୬ଜଣ ଟ୍ରସଙ୍କ ସମର୍ଥନରେ ଅଛନ୍ତି।

ସର୍ଭେ ରିପୋର୍ଟ ଆସିବା ପ‌ରେ ବର୍ତ୍ତମାନ ସୁନକ ଏବଂ ଟ୍ରସ୍ କନଜରଭେଟିଭ ପାର୍ଟିର ସଦସ୍ୟଙ୍କ ପାଖକୁ ଭୋଟ୍ ମାଗିବାକୁ ଯାଉଛନ୍ତି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରତି ବିଶ୍ୱାସଘାତକତା କରି କ୍ଷମତା ଦଖଲ କରିବାକୁ ଚାହୁଁଥିବା ନେତା ଭାବେ ସୁନକଙ୍କ ଭାବମୂର୍ତ୍ତି ବଦଳିଥିବା ବେଳେ ତାଙ୍କୁ ସଦସ୍ୟଙ୍କ ସମର୍ଥନ ମିଳିବ କି ନାହିଁ ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର