ନୂଆଦିଲ୍ଲୀ: ଭାରତର ଜ୍ବାଇଁ ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନରେ ହାରିଯାଇଛନ୍ତି। ଏଥର ବ୍ରିଟେନରେ ଲେବର ପାର୍ଟି ଜିତିଛି, ଯାହାର ନେତା କିର ଷ୍ଟାରମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ କିର ଭାରତକୁ ସମର୍ଥନ କରନ୍ତି ନା ବିରୋଧ କରନ୍ତି | କାରଣ କିର ପ୍ରଧାନମନ୍ତ୍ରୀ ହେବା ପରେ ଏବେ ଉଭୟ ଦେଶର ସମ୍ପର୍କ ଏହା ଉପରେ ହିଁ ନିର୍ଭର କରେ | ବାସ୍ତବରେ ବ୍ରିଟେନର ମୋଟ ୬୫୦ଟି ସିଟ୍ ମଧ୍ୟରୁ ଲେବର ପାର୍ଟି ୪୦୦ ରୁ ଅଧିକ ସିଟ୍ ଜିତିଥିବା ବେଳେ ଋଷି ସୁନକଙ୍କ ପାର୍ଟି ୧୧୧ଟି ଆସନରେ ସୀମିତ ରହିଯାଇଥିଲା | ତେବେ ଋଷି ହାରିଯାଇଥିଲେ ବି ଆଗାମୀ ପ୍ରଧାନମନ୍ତ୍ରୀ କିର ଭାରତକୁ ସମର୍ଥନ କରନ୍ତି | ଏହି ଦଳ କାଶ୍ମୀର ପ୍ରସଙ୍ଗରେ ଭାରତକୁ ସବୁବେଳେ ସମର୍ଥନ କରି ଆସିଛି |
ବାସ୍ତବରେ ଯେତେବେଳେ ଧାରା ୩୭୦ ରଦ୍ଦ କରାଯାଇଥିଲା। ସେତେବେଳେ ଲେବର ପାର୍ଟି ନେତା କିର ଷ୍ଟାରମର୍ କହିଥିଲେ ଯେ କାଶ୍ମୀର ଭାରତ ଏବଂ ପାକିସ୍ତାନ ମଧ୍ୟରେ ପାରସ୍ପରିକ ପ୍ରସଙ୍ଗ। ତେବେ କେବଳ ଏବେ ନୁହେଁ ଏହି ଦଳ ସ୍ୱାଧୀନତା ସଂଗ୍ରାମ ବେଳେ ଭାରତରେ ଇଂରେଜ ଶାସନକୁ ବିରୋଧ କରିଥିଲା ଓ ଭାରତକୁ କିଭଳି ସ୍ୱାଧୀନତା ମିଳିବ ସେଥିପାଇଁ ସ୍ୱର ଉଠାଇଥିଲା |ଏଭଳି ପରିସ୍ଥିତିରେ ଭାରତ ସହ ବ୍ରିଟେନର ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି, କାରଣ କିରଙ୍କ ପୂର୍ବରୁ ବି ଭାରତ ସହ ସମ୍ପର୍କକୁ ସୁଦୃଢ କରିବାକୁ କହିଆସୁଛନ୍ତି। ବର୍ତ୍ତମାନ ତାଙ୍କ ସରକାରରେ ୧୦ ରୁ ଅଧିକ ସାଂସଦ ଭାରତୀୟ ବଂସୋଦ୍ଭବ ଅଛନ୍ତି। ଏଭଳି ପରିସ୍ଥିତିରେ, ମୁକ୍ତ ବାଣିଜ୍ୟ ଚୁକ୍ତି, କାର୍ଯ୍ୟ ଅନୁମତି, ଭିସା ଉପରେ କିର ଷ୍ଟାରମର୍ ଆଉ କିଛି ନୂତନ ପଦକ୍ଷେପ ନେଇପାରନ୍ତି |