କାନାଡା ପରେ କୃଷକ ଆନ୍ଦୋଳନକୁ ସମର୍ଥନ କଲା ବ୍ରିଟେନ୍

ନୂଆଦିଲ୍ଲୀ: ଦିନକୁ ଦିନ କୃଷକ ଆନ୍ଦୋଳନକୁ ଦେଶ ସହ ବିଦେଶରୁ ମଧ୍ୟ ସମର୍ଥନ ମିଳିବାରେ ଲାଗିଛି । ସିନେ ତାରକା, ରାଜନେତା, ଖେଳାଳିମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଅନ୍ୟପଟେ କିଛି ବୁଦ୍ଧିଜୀବୀ ବି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଆନ୍ଦୋଳନସ୍ଥଳରେ ଉପସ୍ଥିତ ହେଉଥିବା ଦେଖିବାକୁ ମିଳିଛି ।

ଗୋଟିଏ ପଟେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶରୁ ସମର୍ଥନ ମିଳୁଥିବା ବେଳେ ଏବେ ଏହି ଆନ୍ଦୋଳନକୁ ବିଦେଶରୁ ବି ସମର୍ଥନ ମିଳିବାରେ ଲାଗିଛି । ପ୍ରଥମେ କାନାଡାରୁ ସମର୍ଥନ ମିଳିଥିବା ବେଳେ ଏବେ ବ୍ରିଟେନର କିଛି ସାଂସଦ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ମୁହଁ ଖୋଲିଛନ୍ତି । ସେମାନେ ଦାବି କରିଛନ୍ତି କି ଏନେଇ ବ୍ରିଟେନ୍ ସରକାର ଭାରତ ସରକାରଙ୍କ ସହ ଆଲୋଚନା କରନ୍ତୁ ।

ଅନ୍ୟପଟେ ବିଭିନ୍ନ ଦେଶରେ ରହୁଥିବା ଶିଖ୍ ଓ ପଞ୍ଜାବୀ କୃଷକମାନେ ଏଥିରେ ସାମିଲ ହେଉଥିବା ସୂଚନା ମିଳିଛି । ବ୍ରିଟେନର ୩୬ ଜଣ ସାଂସଦ (ଯେଉଁମାନେ କି ମୂଳତଃ ଭାରତୀୟ) ସେମାନେ କୃଷି ଆଇନ ସଂପର୍କରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବ୍ରିଟେନର ବୈଦେଶିକ ସଚିବ ଡୋମିନିକଙ୍କୁ ସେମାନେ ଚିଠି ଲେଖି କୃଷକ ଆନ୍ଦୋଳନ ସଂପର୍କରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ।

indiatoday

ଏହି ଚିଠିରେ ଦସ୍ତଖତ କରିଥିବା ନେତାମାନେ ଲେବର ପାର୍ଟି, କନଜରଭେଟିବ ପାର୍ଟି ଓ ସ୍କଟିସ୍ ନ୍ୟାସନାଲ ପାର୍ଟିର ସାଂସଦ ଥିବା ଜଣାପଡିଛି । ସେମାନେ ଚିଠିରେ ଲେଖିଛନ୍ତି କି ଏତେ ବଡ ଗଣତାନ୍ତ୍ରିକ ରାଷ୍ଟ୍ରରେ କୃଷକ ଆନ୍ଦୋଳନ ଏକ ଚିନ୍ତାଜନକ ବିଷୟ । ବ୍ରିଟେନରେ ରହୁଥିବା ଶିଖ୍ ଓ ପଞ୍ଜାବୀମାନେ ଏହା ଦ୍ୱାରା ପ୍ରଭାବିିତ ହେଉଛନ୍ତି । ଏହାସହ ଅନେକ ବିଦେଶୀ ସାଂସଦ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭାରତର ୩ଟି କୃଷି ଆଇନର ପ୍ରଭାବ ସଂପର୍କରେ ଚିଠି ଲେଖି ଜଣାଇଥିବା ଜଣାପଡିଛି । ଏହି ଚିଠିରେ ଲେଖାଯାଇଛି କି ଭାରତ ସରକାର ଆଣିଥିବା ଏହି ୩ଟି କୃଷି ଆଇନ କୃଷକଙ୍କୁ ଶୋଷଣମୁକ୍ତ କରିବା ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପ୍ରଦାନ କରିବାରେ ବିଫଳ ହେବ । ଅନ୍ୟପଟେ ଆନ୍ଦୋଳନରତ କୃଷକମାନଙ୍କ ଉପରେ ପୁଲିସ ଯେଭଳି ବ୍ୟବହାର କରୁଛି ତାହାକୁ କଡା ଭାଷାରେ ସେମାନେ ନିନ୍ଦା କରିଛନ୍ତି ।

ସମ୍ବନ୍ଧିତ ଖବର