ୟୁକ୍ରେନକୁ ୧୬୦୦ ଟ୍ୟାଙ୍କ ବିଧ୍ବଂସକାରୀ ଅସ୍ତ୍ର ପ୍ରଦାନ କରିବ ବ୍ରିଟେନ୍

ଲଣ୍ଡନ : ଆମେରିକା ପରେ ବ୍ରିଟେନ ମଧ୍ୟ ୟୁକ୍ରେନକୁ ଆଉକିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେବାକୁ ଘୋଷଣା କରିଛି । ବ୍ରିଟେନର ପ୍ରତିରକ୍ଷା ସଚିବ ବେନ ଓ୍ବାଲେସ କହିଛନ୍ତି ଯେ ୟୁକ୍ରେନକୁ ଆଉ କିଛି ଆର୍ଟିଲାରୀ ଗନ ଓ ପ୍ରାୟ ୧୬୦୦ ଟ୍ୟାଙ୍କ ବିଧ୍ବଂସକାରୀ ଅସ୍ତ୍ର ପ୍ରଦାନ କରିବ । ଏହା ସହିତ ଶତାଧିକ ଡ୍ରୋନ, କାଉଣ୍ଟର ବ୍ୟାଟେରୀ ରାଡାର ସିଷ୍ଟମ ମଧ୍ୟ ପ୍ରଦାନ କରାଯିବ ।

ପୂର୍ବରୁ ବ୍ରିଟେନ ୟୁକ୍ରେନକୁ ପ୍ରାୟ ୭୦୦୦ ଟ୍ୟାଙ୍କ ବିଧ୍ବଂସକାରୀ ଅସ୍ତ୍ର ପ୍ରଦାନ କରିସାରିଛି ।

ଗତ ମାସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ୟୁକ୍ରେନକୁ ୧ ବିଲିୟନ ପାଉଣ୍ଡର ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ରୁଷ ବିରୋଧରେ ୟୁକ୍ରେନ ଯେପରି ନିଜକୁ ରକ୍ଷା କରିପାରିବ ସେଥିପାଇଁ ଏସବୁ ଅସ୍ତ୍ରଶସ୍ତ୍ର ଦିଆଯାଉଛି ବୋଲି ବ୍ରିଟେନ କହିଛି ।

ବୁଧବାରଦିନ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଥିଲେ ଯେ ୟୁକ୍ରେନକୁ ଆଉ କିଛି ରକେଟ ସିଷ୍ଟମ ଯୋଗାଇ ଦିଆଯିବ । ସେଗୁଡ଼ିକ ମଧ୍ୟରେ ରହିଛି ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ବା ହିମରାସ । ଏହାକୁ ପାଇବା ପରେ ୟୁକ୍ରେନ ରୁଷର ଆଭ୍ୟନ୍ତରୀଣ ଅଂଚଳକୁ ଆକ୍ରମଣ କରିପାରିବ ।  ଗତ ଜୁନ ମାସରେ ବି ଆମେରିକା ଏକ ରକେଟ ସିଷ୍ଟମ ୟୁକ୍ରେନକୁ ପ୍ରଦାନ କରିଥିଲା ।

ଅନ୍ୟପକ୍ଷରେ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଣ ହେଲେ ଯୁଦ୍ଧର ପରିସର ବଢିବ ଓ ନୂଆ ନୂଆ ଅଞ୍ଚଳ ଉପରେ ଆକ୍ରମଣ କରାଯିବ ବୋଲି ରୁଷ ଧମକ ଦେଇଛି ।

ସମ୍ବନ୍ଧିତ ଖବର