ମୁମ୍ବାଇ: ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେୟର୍ ଷ୍ଟାର୍ମରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିବା ପରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଶିକ୍ଷା, ନିବେଶ ଓ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ବ୍ରିଟେନ୍ ଭାରତକୁ ହାଲୁକା ବହୁମୁଖୀ କ୍ଷେପଣାସ୍ତ୍ର (ଏଲ୍ଏମ୍ଏମ୍) ଯୋଗାଇବ। ଏଥିପାଇଁ ଉଭୟ ଦେଶ ମଧ୍ୟରେ ୩୫୦ ନିୟୁତ ପାଉଣ୍ଡ (୪୬୮ ନିୟୁତ ଡଲାର)ର ଚୁକ୍ତି ସ୍ବାକ୍ଷର ହୋଇଛି। ଏଥିସହିତ ଭାରତୀୟ ବାୟୁସେନାର ପ୍ରଶିକ୍ଷକମାନଙ୍କୁ ବ୍ରିଟେନ୍ର ରୟାଲ୍ ଏୟାର୍ଫୋର୍ସର ପ୍ରଶିକ୍ଷଣରେ ସାମିଲ କରିବା ନେଇ ରାଜିନାମା ହେବ। ଭାରତୀୟ ନୌସେନା ପାଇଁ ସାମୁଦ୍ରିକ ବୈଦେଶିକ ବିକାଶ ପ୍ରଣାଳୀରେ ବ୍ରିଟେନ ସହଯୋଗ କରିବ। ମିଳିତ ସମରାଭ୍ୟାସ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଜରିଆରେ ଉଭୟ ପକ୍ଷ ସହଯୋଗ ବଢ଼ାଇବାକୁ ସହମତ ହୋଇଛନ୍ତି। ଏଥିସହିତ ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଉଭୟ ନେତା ପ୍ରତିବଦ୍ଧ ଥିବା କହିଛନ୍ତି।
ଭାରତ-ବ୍ରିଟେନ ଯୋଗାଯୋଗ ଏବଂ ଉଦ୍ଭାବନ କେନ୍ଦ୍ର ସ୍ଥାପନ ସହିତ ଏଆଇ ପାଇଁ ଭାରତ-ବ୍ରିଟେନ ଯୁଗ୍ମ କେନ୍ଦ୍ର ସ୍ଥାପନ, ଭାରତ-ବ୍ରିଟେନ ଗୁରୁତ୍ବପୂର୍ଣ୍ଣ ଖଣି ଯୋଗାଣ ଶୃଙ୍ଖଳ ପର୍ଯ୍ୟବେକ୍ଷଣାଗାରର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ, ଆଇଆଇଟି-ଆଇଏସ୍ଏମ୍ ଧାନବାଦରେ ନୂଆ ସାଟେଲାଇଟ୍ କେନ୍ଦ୍ର ସ୍ଥାପନ, ସବୁଜ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେବା ଏବଂ ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଖଣିଜ ଶିଳ୍ପ ସ୍ଥାପନ ଆଦି ଘୋଷଣା ହୋଇଛି। ସେହିଭଳି ନବଗଠିତ ଭାରତ-ବ୍ରିଟେନ ସିଇଓ ଫୋରମ୍ର ଉଦ୍ଘାଟନୀ ବୈଠକ ହେବା ସହିତ ଭାରତ-ବ୍ରିଟେନ ଯୁଗ୍ମ ଅର୍ଥନୈତିକ ବାଣିଜ୍ୟ କମିଟି (ଜେଟ୍କୋ)ର ପୁନଃପ୍ରତିଷ୍ଠା କରାଯାଇଛି। ଜଳବାୟୁ ପ୍ରଯୁକ୍ତି ଷ୍ଟାର୍ଟଅପ୍ ପାଣ୍ଠି ପାଇଁ ଏକ ନୂଆ ଯୁଗ୍ମ ନିବେଶ ଘୋଷଣା କରାଯାଇଛି। ଏ ନେଇ ବ୍ରିଟେନ ସରକାର ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ନୂଆ ଉଦ୍ୟୋଗୀମାନଙ୍କୁ ଜଳବାୟୁ ପ୍ରଯୁକ୍ତି ଏବଂ ଏଆଇ କ୍ଷେତ୍ରରେ ଏହା ସମର୍ଥନ କରିବ। ଷ୍ଟାର୍ମର କହିଛନ୍ତି ଯେ ଭାରତର ୬୪ଟି କମ୍ପାନି ୧.୩ ବିଲିୟନ୍ ପାଉଣ୍ଡ ନିବେଶ କରିବେ।
ତୃତୀୟ ବୃହତ୍ ଅର୍ଥନୀତି ପଥରେ ଭାରତ: ଷ୍ଟାର୍ମର
୨୦୩୦ ପୂର୍ବରୁ ଦ୍ବିପାକ୍ଷିକ କାରବାର ଦ୍ବିଗୁଣିତ ହେବ: ମୋଦୀ
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ନିର୍ଦ୍ଧାରିତ ସମୟ ୨୦୩୦ ପୂର୍ବରୁ ଭାରତ-ବ୍ରିଟେନ୍ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଦ୍ବିଗୁଣିତ ହେବ। ବର୍ତ୍ତମାନ ଏହା ୫୬ ବିଲିୟନ୍ ଡଲାର ରହିଛି। ଷ୍ଟାର୍ମର୍ ନିଜ ସହ ସର୍ବବୃହତ୍ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ନେଇ ଆସିବା ସହଭାଗିତାରେ ନୂଆ ଶକ୍ତି ଓ ବଡ଼ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଭାରତର ଅର୍ଥନୀତି ବିଶ୍ବର ତୃତୀୟ ବୃହତ୍ ହେବା ପଥରେ ରହିଛି ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର୍ ଷ୍ଟାର୍ମର୍ ଆଜି କହିଛନ୍ତି। କିଛି ସପ୍ତାହ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଦେଇଥିବା ‘ମୃତ ଅର୍ଥନୀତି’ (ଡେଡ୍ ଇକୋନୋମି) ମନ୍ତବ୍ୟର ଏହା କଡ଼ା ଜବାବ ବୋଲି କୁହାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି। ଭାରତର ଅର୍ଥନୀତି ସଂପର୍କରେ ତାଙ୍କର କୌଣସି ଭାବନାକୁ ଷ୍ଟାର୍ମର୍ ଲୁଚାଇ ନାହାନ୍ତି। ଷ୍ଟାର୍ମର୍ କହିଛନ୍ତି ଯେ ଭାରତର ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି। ନିକଟରେ ଜାପାନକୁ ଅତିକ୍ରମ କରି ଭାରତ ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତି ହୋଇଛି। ଉପସ୍ଥିତ ଲୋକଙ୍କୁ ହିନ୍ଦୀରେ ‘ନମସ୍କାର ଦୋସ୍ତୋଁ’ କହି ଅଭିନନ୍ଦନ ଜଣାଇବା ସହ ଷ୍ଟାର୍ମର୍ କହିଥିଲେ, ଭାରତର ଅଭିବୃଦ୍ଧି ଯାତ୍ରାରେ ବ୍ରିଟେନ ସହଯୋଗୀ ହେବାକୁ ଆଗ୍ରହୀ। ୨୦୨୮ ସୁଦ୍ଧା ଭାରତକୁ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରଖିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ସେ ଅଭିନନ୍ଦନ ଜଣାଇଛନ୍ତି। ବିକଶିତ ଭାରତ ପାଇଁ ଆପଣଙ୍କ ଦୃଷ୍ଟିକୋଣ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି ସେ ମତ ଦେଇଛନ୍ତି।
ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ କହିଛନ୍ତି, ମୁଁ ଏଠାରେ ଦେଖୁଥିବା ସବୁକିଛି ଦର୍ଶାଉଛି ଯେ ଭାରତ ସେହି ଧାରାରେ ରହିଛି। ଆମେ ମଧ୍ୟ ସେହି ଯାତ୍ରାରେ ସହଯୋଗୀ ହେବାକୁ ଚାହୁଛୁ। ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଷ୍ଟାର୍ମର୍ ଏକ ବୃହତ୍ ପ୍ରତିନିଧି ମଣ୍ଡଳୀଙ୍କୁ ସାଥୀରେ ଆଣିଛନ୍ତି। ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସିଇଓ, ଉଦ୍ୟୋଗୀ, ବିଶ୍ବବିଦ୍ୟାଳୟର କୁଳପତି ଏବଂ ସାଂସ୍କୃତିକ ନେତୃବୃନ୍ଦ ରହିଛନ୍ତି। ପୂର୍ବରୁ କୌଣସି ବ୍ରିଟେନ ପ୍ରଧାନମନ୍ତ୍ରୀ ତାଙ୍କ ସାଥୀରେ ଏତେ ସଂଖ୍ୟକ ପ୍ରତିନିଧିଙ୍କୁ ନେଇ ଭାରତ ଆସି ନଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତ ଏକ ମୃତ ଅର୍ଥନୀତି ନୁହେଁ। ଷ୍ଟାର୍ମର୍ ଫିନ୍ଟେକ୍ ସମ୍ମିଳନୀରେ ଯୋଗଦେଇ ନିବେଶକମାନଙ୍କୁ ବର୍ତ୍ତମାନ ସମୟରେ ବ୍ରିଟେନ୍ରେ ନିବେଶ କରିବାକୁ ଆହ୍ବାନ ଦେଇଛନ୍ତି। ଗତ ଜୁଲାଇରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ରାଜିନାମା (ସିଇଟିଏ) ସ୍ବାକ୍ଷର ହୋଇଛି। ଏହି ରାଜିନାମା ସ୍ବାକ୍ଷର ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ବାଣିଜ୍ୟ ଓ ନିବେଶରେ ୬ ବିଲିଅନ ପାଉଣ୍ଡ୍ ଷ୍ଟର୍ଲିଂ ବୃଦ୍ଧି ଦେଖାଦେଇଛି ବୋଲି ଷ୍ଟାର୍ମର କହିଛନ୍ତି।