ଲଣ୍ଡନ୍: ଚଳିତ ବର୍ଷ ‘ପ୍ଲାଟିନମ୍ ଜୁବିଲି’ ପାଳନ କରୁଥିବା ବ୍ରିଟେନ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ସମ୍ମାନାର୍ଥେ ଅବିକଳ ତାଙ୍କ ପରି ଦିଶୁଥିବା ‘ବାର୍ବି ଡଲ୍’ (ବାର୍ବି ନାମକ କଣ୍ଢେଇ) ତିଆରି କରାଯାଇଛି।
ଆଜି କଣ୍ଢେଇ ନିର୍ମାଣକାରୀ କମ୍ପାନି ‘ମ୍ୟାଟେଲ୍’ କହିଛି ଯେ, ‘ଟ୍ରିବ୍ୟୁଟ୍ କଲେକ୍ସନ୍ ବାର୍ବି ଡଲ୍’ ତିଆରି କରି କମ୍ପାନି ରାଣୀଙ୍କ ସିଂହାସନ ଆରୋହଣର ୭୦ ବର୍ଷ ପାଳନ କରୁଛି।
ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ପରି ଦିଶୁଥିବା ବାର୍ବି ଡଲ୍ଟି ପିନ୍ଧିଛି ନୀଳ ରଙ୍ଗର କମରପଟି ଥିବା ହାତୀଦାନ୍ତ ପରି ଧଳା ରଙ୍ଗର ଗାଉନ୍। ସେଥିରେ ପୁଣି ଟିକି ଟିକି ପଦକ ଏବଂ ରିବନ୍ ଲାଗିଛି। ଏହାଛଡ଼ା, ରାଣୀ ବାହାଘର ଦିନ ପିନ୍ଧିଥିବା ମୁକୁଟ ପରି ଦିଶୁଥିବା ମୁକୁଟ ମଧ୍ୟ ଉକ୍ତ କଣ୍ଢେଇ ମଥାରେ ଶୋଭାପାଉଛି।
/sambad/media/post_attachments/wp-content/uploads/2022/04/QE1.jpg)
ଆଜି ୯୬ ବର୍ଷରେ ପଦାର୍ପଣ କରୁଥିବା ରାଣୀ ଦ୍ବିତୀୟ ଏଲିଜାବେଥ୍ ୧୯୫୨ ଫେବ୍ରୁଆରି ୬ ତାରିଖ ଦିନ ତାଙ୍କର ବାପା ରାଜା ଷଷ୍ଠ ଜର୍ଜଙ୍କ ମୃତ୍ୟୁ ପରେ ସିଂହାସନ ଆରୋହଣ କରିଥିଲେ। ବ୍ରିଟିସ୍ ଇତିହାସରେ ସେ ହେଉଛନ୍ତି ସବୁଠୁ ଅଧିକ ବର୍ଷ ଶାସନ କରିଥିବା ରାଣୀ।
ଚଳିତ ବର୍ଷ ଆଦ୍ୟ ଜୁନ୍ରେ ଆନୁଷ୍ଠାନିକ ଭାବେ ‘ପ୍ଲାଟିନମ୍ ଜୁବିଲି’ ପାଳନ ଆରମ୍ଭ ହେବା ପୂର୍ବରୁ ଲଣ୍ଡନ୍ରେ ଥିବା ଷ୍ଟୋର୍ ହ୍ୟାରୋଡ୍ସ୍, ସେଲ୍ଫ୍ରିଜେସ୍ ଏବଂ ହାମ୍ଲେଜ୍ରେ ଏହି ବାର୍ବି ଡଲ୍ ବିକ୍ରୟ ହେବ।