ଲଣ୍ଡନ୍: ଲଣ୍ଡନ୍ରୁ ଉଡ଼ାଣ ଆରମ୍ଭ କରିବାର କେଇ ମିନିଟ୍ ପୂର୍ବରୁ ‘ବ୍ରିଟିସ୍ ଏୟାର୍ୱେଜ୍’ ବିମାନର ଜଣେ ‘କ୍ରୁ’ ବା ‘ଆଟେଣ୍ଡାଣ୍ଟ୍’ ଯାତ୍ରୀମାନଙ୍କ ସମ୍ମୁଖରେ ପଡ଼ିଯାଇ ମୃତ୍ୟୁବରଣ କରିଥିବା କଥା ‘ଦି ସନ୍’ ସମ୍ବାଦପତ୍ର ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ନବବର୍ଷ ପୂର୍ବ ସନ୍ଧ୍ୟାରେ ଲଣ୍ଡନ୍ର ହିଥ୍ରୋ ବିମାନବନ୍ଦରରୁ ଉକ୍ତ ବିମାନଟି ହଂକଂ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାକୁ ଯାଉଥିବା ବେଳେ ୫୨ ବର୍ଷିୟ ପରିଚାରକଜଣକ ଟଳି ପଡ଼ିଲେ। ସେତେବେଳକୁ ବିମାନର ଦ୍ବାର ସବୁ ବନ୍ଦ କରାଯାଇ ସାରିଥିଲା ଓ ଯାତ୍ରୀମାନେ ନିଜ ନିଜ ସିଟ୍ରେ ବସି ସାରିଥିଲେ। କିନ୍ତୁ, ନାଁ ଘୋଷଣା କରାଯାଇ ନ ଥିବା ଉକ୍ତ ପରିଚାରକଜଣକ ସେ ବିମାନର ପଛ ପ୍ରାନ୍ତରେ ଟଳି ପଡ଼ିଲେ।
‘ଫାଷ୍ଟ୍ଏଡ୍’ ତାଲିମ୍ ପାଇଥିବା ଜଣେ ଯାତ୍ରୀ ତାଙ୍କୁ ବଞ୍ଚାଇବା ଲାଗି ଉଦ୍ୟମ କରୁଥିବା ବେଳେ ପାଇଲଟ୍ମାନେ ଡାକ୍ତର ଡକାଇଲେ। କିନ୍ତୁ, ଘଟଣାସ୍ଥଳରେ ହିଁ ସେ ବିମାନ ପରିଚାରକଙ୍କର ମୃତ୍ୟୁ ଘଟିଲା। ‘ମେଡିକାଲ୍ ଏମର୍ଜେନ୍ସି’ ଯୋଗୁଁ ଉକ୍ତ ବିମାନଯାତ୍ରା ବି ବାତିଲ କରାଗଲା।
ଘଟଣା ସଂକ୍ରାନ୍ତରେ ‘ମେଟ୍ରୋ ୟୁକେ’ ସମ୍ବାଦପତ୍ରକୁ ବିବୃତି ଦେବା ବେଳେ ଲଣ୍ଡନ୍ ଆମ୍ବୁଲାନ୍ସ୍ ସେବା କହିଛି, ଦୁଃଖର ବିଷୟ, ଆମ କ୍ରୁ’ମାନଙ୍କର ସବୁପ୍ରକାର ଉଦ୍ୟମ ସତ୍ତ୍ବେ ରୋଗୀଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା।
‘ବ୍ରିଟିସ୍ ଏୟାର୍ୱେଜ୍’ କହିଛି, ଏଭଳି ଦୁଃଖଦାୟକ ସମୟରେ ଆମ ସହକର୍ମୀଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ପ୍ରତି ସମବେଦନା ଜଣାଉଛୁ।