ବ୍ରିଟିଶ୍‌ ନାଗରିକତା ବିବାଦରେ ରାହୁଲ

ଗୃହମନ୍ତ୍ରାଳୟର ନୋଟିସ୍‌ ,ଭାଇଙ୍କ ପାଇଁ ଗର୍ଜିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଏହି ମାମଲାରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ଅଭିଯୋଗ ଏବଂ ଦାଖଲ କରାଯାଇଥିବା ଦସ୍ତାବିଜ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ରାହୁଲଙ୍କୁ ନୋଟିସ୍‌ ଜାରି କରିଛି। ୧୫ ଦିନ ମଧ୍ୟରେ ନାଗରିକତା ପ୍ରସଙ୍ଗରେ ରାହୁଲ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଏହି ନୋଟିସ୍‌ରେ କୁହାଯାଇଛି। କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସମଗ୍ର ଦେଶ ରାହୁଲଙ୍କୁ ଜଣେ ଭାରତୀୟ ଭାବେ ଜାଣିଥିବା ବେଳେ କେନ୍ଦ୍ର ସରକାର ଅଯଥା ବିବାଦ ସୃଷ୍ଟି କରି ରାଜନୀତି କରୁଛନ୍ତି। ସାଧାରଣରେ ବିଭ୍ରାନ୍ତି ସୃଷ୍ଟି ପାଇଁ ଏଭଳି ବିବାଦ ବିଜେପି ସୃଷ୍ଟି କରିଛି ଏବଂ ଏହାର ଉଚିତ ଜବାବ ଦିଆଯିବ ବୋଲି ପ୍ରିୟଙ୍କା କହିଛନ୍ତି।

ରାହୁଲଙ୍କ ନାଗରିକତା
ବିବାଦ କ’ଣ?

ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଗୃହ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ବିଟିଶ୍‌ ନାଗରିକତା ଗ୍ରହଣ କରିଛନ୍ତି। ରାହୁଲ ବ୍ରିଟେନ୍‌ରେ ପୁଂଜି ଲଗାଇଥିବା କମ୍ପାନି ମଧ୍ୟ ରାହୁଲଙ୍କୁ ଜଣେ ବ୍ରିଟିଶ୍‌ ନାଗରିକ ଭାବେ ଦର୍ଶାଇଛି। ୨୦୦୩ରେ ବ୍ରିଟେନ୍‌ରେ ପଂଜିକୃତ ହୋଇଥିବା ‘ବ୍ୟାକ୍‌ଅପ୍‌ସ’ କମ୍ପାନିରେ ରାହୁଲ ନିର୍ଦ୍ଦେଶକ ଥିଲେ ଏବଂ କମ୍ପାନି ପକ୍ଷରୁ ବିଭିନ୍ନ ସମୟରେ ଦାଖଲ ବାର୍ଷିକ ରିଟର୍ଣ୍ଣରେ ମଧ୍ୟ ରାହୁଲଙ୍କୁ ଜଣେ ବ୍ରିଟିଶ୍‌ ନାଗରିକ ଭାବେ ଦର୍ଶାଯାଇଛି। ତେଣୁ ଏ ବାବଦରେ ଭାରତ ସରକାର ଯଥୋଚିତ ତଦନ୍ତ କରି ପଦକ୍ଷେପ ନେବାକୁ ସ୍ବାମୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସାଂସଦ ସ୍ବାମୀଙ୍କ ଅଭିଯୋଗ ଆଧାରରେ ଗୃହ ମନ୍ତ୍ରାଳୟ ନୋଟିସ୍‌ ଜାରି କରି ୧୫ ଦିନ ମଧ୍ୟରେ ନାଗରିକତାକୁ ନେଇ ରାହୁଲଙ୍କୁ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। କଂଗ୍ରେସ ସ୍ବାମୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ରାହୁଲ ଜନ୍ମରୁ ଭାରତୀୟ ଏବଂ ସେ ବ୍ରିଟିଶ୍‌ ନାଗରିକତା ଗ୍ରହଣ କରିନାହାନ୍ତି ବୋଲି କୁହାଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ନାଗରିକତାକୁ ନେଇ ବିବାଦ ଉଠିଥିବା ଏବଂ ଜଣେ ସାଂସଦ ଏ ନେଇ ଅଭିଯୋଗ କରିଥିବାରୁ ଏହି ଆଧାରରେ ନୋଟିସ୍‌ ଜାରି କରାଯିବା ଏକ ସାଧାରଣ ପ୍ରକ୍ରିୟା।

ଘେରିଲା ବିଜେପି
ନାଗରିକତା ପ୍ରସଙ୍ଗରେ ସରକାର ରାହୁଲଙ୍କୁ ନୋଟିସ୍‌ ଜାରି କରିବା ପରେ ବିଜେପି ମଧ୍ୟ କଂଗ୍ରେସକୁ ଆଜି ଘେରିଛି। ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାହୁଲଙ୍କ ବିଭିନ୍ନ ବିଦେଶ ଯାତ୍ରା, କମ୍ପାନି ଏବଂ ଡିଗ୍ରି ସବୁକିଛି ସନ୍ଦେହ ଘେରରେ ରହିଛି। ରାହୁଲ ପୁଂଜି ଖଟାଇଥିବା ବ୍ରିଟିଶ୍‌ କମ୍ପାନି ତାଙ୍କୁ ବ୍ରିଟେନର ନାଗରିକ ବୋଲି ଦର୍ଶାଇଥିବାରୁ ଏହାର ତଦନ୍ତ ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର