ଲଣ୍ଡନ: ଗତବର୍ଷ ସମ୍ମାନଜନକ ମିସ୍ ଇଂଲଣ୍ଡ ଟାଇଟଲ ଜିତିଥିବା ଏବଂ ଭାରତରେ ମିସ୍ ୱାର୍ଲ୍ଡ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୪ ବର୍ଷୀୟା ମିଲା ମାଗି ବିଶ୍ୱପ୍ରସିଦ୍ଧ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। କାରଣ ସେ ଅନୁଭବ କରିଛନ୍ତି ଯେ ଆୟୋଜକମାନେ ତାଙ୍କୁ ଶୋଷଣ କରୁଛନ୍ତି ଏବଂ ତାଙ୍କୁ ଜଣେ ବେଶ୍ୟା ପରି ଅନୁଭବ କରିବାକୁ ବାଧ୍ୟ କରୁଛନ୍ତି। ମାଗି ପ୍ରଥମେ ହାଇଦ୍ରାବାଦରେ ହେବାକୁ ଥିବା ପ୍ରତିଯୋଗିତାରୁ ବ୍ୟକ୍ତିଗତ କାରଣରୁ ହଠାତ୍ ଓହରିଯାଉଛନ୍ତି ବୋଲି କହିଥିଲେ। କିନ୍ତୁ ପରେ ସେ ପ୍ରକାଶ କରିଥିଲେ ଯେ ଏହି ପ୍ରତିଯୋଗିତା ‘ପୁରୁଣାକାଳିଆ’ ଏବଂ ‘ଅତୀତରେ ଅଟକି ରହିଛି’। ୧୯୬୦ ଦଶକ ପରେ କିଛି ବି ବଦଳିନାହିଁ ବୋଲି ସେ କହିଥିଲେ।
ମିସ୍ ଇଂଲଣ୍ଡ ମାଗି ୭୪ ବର୍ଷ ମଧ୍ୟରେ ପ୍ରତିଯୋଗିତାରୁ ବିଦାୟ ନେବାରେ ପ୍ରଥମ। ସେ କହିଛନ୍ତି ଯେ ସେ ସେଠାକୁ ପରିବର୍ତ୍ତନ ଆଣିବାକୁ ଯାଇଥିଲେ, କିନ୍ତୁ ତାଙ୍କୁ ନାଚ ଦେଖାଉଥିବା ମାଙ୍କଡ଼ ଭଳି ବସିବାକୁ ପଡିଲା। ମାଗି କହିଛନ୍ତି ଯେ, ତାଙ୍କୁ ଜଣେ ବେଶ୍ୟା ଭଳି ଅନୁଭବ କରିବାକୁ ବାଧ୍ୟ କରାଯାଉଛି ଏବଂ ନୈତିକ ଦୃଷ୍ଟିକୋଣରୁ ସେ ଆଉ ପ୍ରତିଯୋଗିତାର ଅଂଶ ହୋଇପାରିବେ ନାହିଁ। ଏହି ପ୍ରତିଯୋଗିତାକୁ ସମର୍ଥନ କରିଥିବା ଧନୀ ପୃଷ୍ଠପୋଷକମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିଯୋଗୀମାନଙ୍କୁ ଭାରି ମେକ୍ଅପ୍ ପିନ୍ଧିବା ଏବଂ ସକାଳୁ ରାତି ପର୍ଯ୍ୟନ୍ତ ‘ସନ୍ଧ୍ୟା ଗାଉନ୍’ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମାଗି ପ୍ରକାଶ କରିଛନ୍ତି। ମିସ୍ ୱାର୍ଲ୍ଡ ଫାଇନାଲରେ ବର୍ତ୍ତମାନ ମାଗିଙ୍କ ସ୍ଥାନରେ ମିସ୍ ଇଂଲଣ୍ଡର ଉପବିଜେତା ୨୫ ବର୍ଷୀୟା ଚାର୍ଲୋଟ୍ ଗ୍ରାଣ୍ଟଙ୍କୁ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି।