ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବ୍ରିଟିଶ ସାଂସଦଙ୍କ ଭିସା ରଦ୍ଦ କରାଗଲା : ସରକାରୀ ସୂତ୍ର

ନୂଆଦିଲ୍ଲୀ : ବ୍ରିଟିଶ ଲେବର ପାର୍ଟି ସାଂସଦ ଡେବି ଆବ୍ରାହମ୍ସଙ୍କ ଭିସା ରଦ୍ଦ ହେବା ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଡେବି ସବୁବେଳେ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ତାଙ୍କ ଭିସାକୁ ରଦ୍ଦ କରାଗଲା ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।
ଡେବି ଆବ୍ରାହମ୍ସଙ୍କୁ ଗତ ୭ ଅକ୍ଟୋବର ୨୦୧୯ରେ ଭିସା ପ୍ରଦାନ କରାଯାଇଥିଲା ଓ ଏହା ବର୍ଷେ ପର୍ଯ୍ୟନ୍ତ ବୈଧ ଥିଲା । ତେବେ ଭାରତ ଆସିବାର ଯଥେଷ୍ଟ ପୂର୍ବରୁ ଗତ ୧୪ ତାରିଖରେ ତାଙ୍କ ଭିସା ରଦ୍ଦ କରାଯାଇଥିଲା ଓ ଏ ସଂପର୍କରେ ତାଙ୍କୁ ଜଣାଇଦିଆଯାଇଥିଲା । ଏହା ସତ୍ତ୍ୱେ ସେ ବିନା ଭିସାରେ ଭାରତ ଆସିଥିଲେ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।

୨୦୧୧ରୁ ସାଂସଦ ଥିବା ଆବ୍ରାହମ କଶ୍ମୀର ସଂପର୍କିତ ଏକ ବ୍ରିଟିଶ ସଂସଦୀୟ କମିଟିର ଅଧ୍ୟକ୍ଷ ଅଛନ୍ତି । ଭାରତର କଶ୍ମୀର ନୀତିକୁ ନେଇ ସେ ସବୁବେଳେ ଭାରତକୁ ସମାଲୋଚନା କରିଆସିଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ଭାରତ ସରକାର କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ଓ ଜମ୍ମୁ ଓ କଶ୍ମୀରର ରାଜ୍ୟମାନ୍ୟତା ପ୍ରତ୍ୟାହାର କରିବା ପରେ ସେ ଭାରତକୁ ତୀବ୍ର ସମାଲୋଚନା କରିଥିଲେ । ଭାରତର ଏହି ନିଷ୍ପତ୍ତି ପରେ ସେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନରଙ୍କୁ ଏକ ପତ୍ର ଲେଖି ଦର୍ଶାଇଥିଲେ ଯେ ଭାରତ କଶ୍ମୀରବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।

ସମ୍ବନ୍ଧିତ ଖବର