ଜେରୁଜେଲମ୍: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିବାର ୨୪ ଘଣ୍ଟା ପରେ ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ଇସ୍ରାଏଲ ସେନା ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଜାରି ରହିଛି। ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ବାୟୁସେନା ତୁହାକୁ ତୁହା ବୋମାମାଡ଼ ଜାରି ରଖିଛି।
ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ ସେନାରେ କାର୍ଯ୍ୟରତ ଜଣେ ବ୍ରିଟିଶ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ମୃତ ସୈନ୍ୟଙ୍କ ନାମ ନାଥାନେଲ ୟଙ୍ଗ ବୟସ ୨୦ବର୍ଷ ବୋଲି ଜଣାପଡ଼ିଛି।
ନାଥାନେଲଙ୍କ ମୃତ୍ୟୁ ଖବର ତାଙ୍କ ପରିବାରଲୋକଙ୍କୁ ଦିଆଯିବା ପରେ ମା’ ଏକଥାକୁ ଆଦୌ ବିଶ୍ବାସ କରିପାରୁ ନାହାନ୍ତି। ମା’ କହିଛନ୍ତି, ‘ପୁଅ ନାଥାନେଲ ଫୋନ କରି କହିଥିଲା ‘‘ଗାଜା ସୀମାରେ ଆକ୍ରମଣ ହୋଇଛି। ମୋ ଉପରେ ଏବେ ବି ରକେଟ ଉଡ଼ୁଛି। କିନ୍ତୁ ତୁ ବ୍ୟସ୍ତ ହଅନି ମା’। ମୁଁ ଖୁବଶୀଘ୍ର ତୋ ପାଖକୁ ଫେରି ଆସିବି। ମା’ ମୁଁ ତତେ ବହୁତ ଭଲପାଏ।’’ ଏହି କେହି ପଦ କଥାପରେ ଫୋନ କଟିଯାଇଥିଲା। ଆଉ ତାର ଫୋନ ଲାଗି ନଥିଲା। ମୋର ବିଶ୍ବାସ ତାର କିଛି ହୋଇନାହିଁ। ସେ ନିଶ୍ଚୟ ମୋ ପାଖକୁ ଫେରି ଆସିବ।’
ଗତକାଲି ସକାଳେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅଭୂତପୂର୍ବ ଓ ଅପ୍ରତ୍ୟାଶିତ ଆକ୍ରମଣ ପରେ ଆରମ୍ଭ ହୋଇଥିବା ସଂଘର୍ଷରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନରେ ଏପର୍ଯ୍ୟନ୍ତ ୧୧୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି।
ଏଥିରେ ୬୦ରୁ ଅଧିକ ସରକାରୀ ସୈନ୍ୟ ରହିଛନ୍ତି। ସେହିପରି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ଆଇରନ୍ ସୋର୍ଡସ’ରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ହମାସ ଆତଙ୍କବାଦୀଙ୍କ ସଂଖ୍ୟା ୪ ଶହରୁ ଅଧିକ ବୋଲି କୁହାଯାଉଛି।