ବ୍ରିଟିଶ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଗଣିବେ ଜରିମାନା; କୋଭିଡ ଲକଡାଉନ୍‌ ନିୟମ ଉଲ୍ଲଂଘନ ମହଙ୍ଗା ସାବ୍ୟସ୍ତ

ଲଣ୍ଡନ୍‌: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଓ ଅର୍ଥମନ୍ତ୍ରୀ ଋଷି ସୁନକ କୋଭିଡ ଲକଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଏବେ ଜରିମାନା ଗଣିବେ ବୋଲି ଜଣାପଡ଼ିଛି।

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଏବଂ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ଲକଡାଉନ୍‌ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ନିର୍ଦ୍ଧାରିତ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଆଜି ମେଟ୍ରୋପଲିଟାନ୍‌ ପୁଲିସ କୋଭିଡ ଲକଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ  ଜରିମାନା ପୈଠ କରିବାକୁ ନୋଟିସ ଜାରି କରିଛନ୍ତି।

ଏହି ଜରିମାନା ଲକଡାଉନ୍‌ ସମୟରେ ଡାଉନିଂ ଷ୍ଟ୍ରିଟ୍‌ରେ ଅନୁଷ୍ଠିତ ପାର୍ଟି  ଏବଂ ପ୍ରଧାନମନ୍ତ୍ରୀ ଜନସନଙ୍କ ଜନ୍ମଦିନ ପାଇଁ କ୍ୟାବିନେଟ୍‌ ରୁମରେ ଜୁନ୍‌ ୨୦୨୦ରେ ଆୟୋଜିତ ହୋଇଥିବା ଏକ ସମାବେଶ ପାଇଁ ଲଗାଯାଇଛି। ଚଳିତ ବର୍ଷ ଜାନୁଆରିରେ ବରିଷ୍ଠ ସରକାରୀ ଅଧିକାରୀ ସୁ ଗ୍ରେ ୨୦୨୦ ଏବଂ ୨୦୨୧ରେ ଲକଡାଉନ୍‌ କଟକଣା ବଳବତ୍ତର ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଚାରିଟି ସମାବେଶ ଉପରେ ତଦନ୍ତ କରି ରିପୋର୍ଟ ପ୍ରକାଶ କରିଥିଲେ।

ଗ୍ରେଙ୍କ ତଦନ୍ତ ରିପୋର୍ଟ ଏବେ ପ୍ରଧାନମନ୍ତ୍ରୀ ଜନସନଙ୍କ ପାଇଁ ଏକ ଝଟକା ସଦୃଶ ହୋଇଛି। କାରଣ, ପୂର୍ବରୁ ସେ କହିଥିଲେ ଯେ ନିୟମ ସବୁବେଳେ ଅନୁସରଣ କରାଯାଇଥିଲା। ପୁଲିସ ତଦନ୍ତ ଥିବା ଘଟଣାଗୁଡ଼ିକ ମଧ୍ୟରେ ଡାଉନିଂ ଷ୍ଟ୍ରିଟରେ ଜନସନଙ୍କ ପାଇଁ ଜୁନ୍‌ ୨୦୨୦ ଜନ୍ମଦିନ ପାର୍ଟି ଏବଂ ଏପ୍ରିଲ ୨୦୨୧ରେ ପ୍ରିନ୍‌ସ ଫିଲିପ୍‌ଙ୍କ ଅନ୍ତିମ ସଂସ୍କାର ପାଇଁ ଅନୁଷ୍ଠିତ ଦୁଇଟି ସମାବେଶ ଅନ୍ତର୍ଭୁକ୍ତ ରହିଛି।

ସମ୍ବନ୍ଧିତ ଖବର