ନୂଆଦିଲ୍ଲୀ: ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭାଇରସର ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଏ ନେଇ ସେ ନିଜେ ନିଜ ଟୁଇଟ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି | ତାଙ୍କ ଟୁଇଟ ମୁତାବକ, "ଗତ ୨୪ଘଣ୍ଟା ମଧ୍ୟରେ ମୁଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ନିଶ୍ଚିତ ହେବା ପାଇଁ ସ୍ବାବ୍‌ ନମୁନା ପରୀକ୍ଷା କରାଇଥିଲି | ଏବେ ରିପୋର୍ଟ ପଜିଟିଭ ଆସିଛି | ମୁଁ ବର୍ତ୍ତମାନ ନିଜକୁ ସଙ୍ଗରୋଧରେ ରଖିଛି। କିନ୍ତୁ ଏହି ଭାଇରସ୍ ସହିତ ମୁକାବିଲା କରିବା ସହ ମୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋର କାର୍ଯ୍ୟ ନିର୍ବାହ କରିବି| ସାଥୀ ହୋଇ ଆମେ ଏହାକୁ ହରାଇବା’’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ |

Advertisment

ସୂଚନା ମୁତାବକ, ଏହା ପୂର୍ବରୁ ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚାର୍ଲସଙ୍କ ମୁଖପାତ୍ର କହିଥିଲେ । କେବଳ ସେ ନୁହେଁ ଯୁବରାଣୀ କାମିଲା ପାର୍କରଙ୍କର ମଧ୍ୟ ପରୀକ୍ଷା ହୋଇଥିଲା, କିନ୍ତୁ ସେ ସଂକ୍ରମିତ ହୋଇ ନଥିବା ଜଣାଯାଇଥିଲା । ଡ୍ୟୁକ ଅଫ କର୍ନଓ୍ୱାଲ ଭାରେ ପରିଚିତ ପ୍ରିନ୍ସ ଚାର୍ଲସଙ୍କ ନମୁନା ପରୀକ୍ଷା ପଜିଟିଭ ବାହାରି ଥିଲେ ମଧ୍ୟ ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ଓ ସେ ନିଜର ସ୍ୱାଭାବିକ କାର୍ଯ୍ୟ କରୁଛନ୍ତି । ତେବେ ସେ ସ୍କଟଲାଣ୍ଡରେ ଏକାନ୍ତବାସରେ ରହୁଛନ୍ତି ବୋଲି ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଅ ଯାଇଥିଲା ।