ଭାରତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ: ସାବରମତୀ ଆଶ୍ରମ ବୁଲିଲେ, ଜେସିବି ଚଢ଼ିଲେ

ମୋଦୀଙ୍କୁ ଭେଟିବେ ଆଜି

ଅହମଦାବାଦ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ଗୁଜରାଟରେ ପହଞ୍ଚିଛନ୍ତି। ଅହମଦାବାଦରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଏକ ରୋଡ୍‌ସୋ’ରେ ସେ ଯାଇଥିଲେ। ସାବରମତୀ ଆଶ୍ରମ ଯାଇ ସେଠାରେ ସେ ଚରଖାରେ ସୂତା କାଟିଛନ୍ତି। ସାବରମତୀ ଆଶ୍ରମ ପରିସରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅସାଧାରଣ ବ୍ୟକ୍ତିଙ୍କ ଆଶ୍ରମ ଆସିବା ଏବଂ ବିଶ୍ବରେ ଏକ ପରିବର୍ତ୍ତନ ପାଇଁ ସେ ସତ୍ୟ ଏବଂ ଅହିଂସା ଭଳି ସହଜ ନୀତିକୁ କିଭଳି ଉପଯୋଗ କରିଥିଲେ ତାହା ବୁଝିବା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ‌ବୋଲି ସେ ଲେଖିଛନ୍ତି। ଗାନ୍ଧୀଙ୍କ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଦୁଇଟି ପୁସ୍ତକ ଉପହାର ଦିଆଯାଇଥିଲା। ଆଶ୍ରମ ପରିସରରେ ତାଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଟ୍ରଷ୍ଟି କାର୍ତ୍ତିକେୟ ସରାଭାଇ ଏବଂ ଆଶ୍ରମର ପ୍ରବକ୍ତା ବିରାଟ କୋଠାରୀ ସ୍ବାଗତ କରିଥିଲେ। ଏଥିସହିତ ଗାନ୍ଧୀନଗର ଗିଫ୍ଟ ସିଟିସ୍ଥିତ ଗୁଜରାଟ ବାୟୋଟେକ୍ନୋଲୋଜି ୟୁନିଭର୍ସିଟି ହଲୋଲସ୍ଥିତ ଜେସିବି କାରଖାନା ଏବଂ ଗାନ୍ଧୀନଗରସ୍ଥିତ ଅକ୍ଷରଧାମ ମନ୍ଦିର ମଧ୍ୟ ଗସ୍ତ କରିଛନ୍ତି। ଆଦାନି ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନିଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ସେ ଯାଇ ଆଦାନିଙ୍କ ସହ କଥା ହୋଇଛନ୍ତି।

ଦେଶ ସ୍ବାଧୀନ ହେବାଦିନଠାରୁ ଗୁଜରାଟ ଗସ୍ତ କରିବାରେ ଜନସନ୍‌ ହେଉଛନ୍ତି ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ। ଭାରତରେ ପହଞ୍ଚିବା ମାତ୍ରେ ଜନସନ ଟ୍ବିଟ୍ କରି କହିଛନ୍ତି ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ମୋତେ ଖୁବ୍ ସୁନ୍ଦର ଲାଗୁଛି। ଦୁଇ ମହାନ ଦେଶ ମିଶି ଅନେକ କିଛି ହାସଲ କରିବାର ସମ୍ଭାବନା ସେ ଏଠାରେ ଦେଖୁଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ସେ ଭାରତ ସହିତ ଆଉ ଏକ ବାଣିଜ୍ୟ ରାଜିନାମା ଶେଷ କରିବା ଲାଗି ଆଶାବାଦୀ ଅଛନ୍ତି। ବିଶ୍ବରେ ଏକଛତ୍ରବାଦ ବୃଦ୍ଧି ପାଉଥିବାରୁ ଉଭୟ ଭାରତ ଓ ବ୍ରିଟେନ ଉଦବେଗ ପ୍ରକାଶ କରିଛନ୍ତି ବୋଲି ଜନସନ୍‌ କହିଛନ୍ତି। ଦୁଇ ଦେଶର ଉଦ୍ୟୋଗୀଙ୍କ ମଧ୍ୟରେ ୧ ବିଲିଅନ ପାଉଣ୍ଡର ନୂଆ ନିବେଶ ଏବଂ ରପ୍ତାନି ରାଜିନାମା ହେବ। ସଫ୍ଟୱେରଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ଏଗୁଡ଼ିକ କରାଯିବ। ଏଥିଯୋଗୁ ବ୍ରିଟେନରେ ୧୧୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା ରହିଛି। କୁଶଳୀ ଭାରତୀୟମାନଙ୍କୁ ଅଧିକ ସଂଖ୍ୟକ ଭିସା ଦେବା ସପକ୍ଷରେ ମଧ୍ୟ ଜନସନ୍‌ ମତ ଦେଇଛନ୍ତି। ଆସନ୍ତାକାଲି ସେ ନୂଆଦିଲ୍ଲୀ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର